ବାରିଆରେ ପଂଚଦିବସୀୟ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ : ବାଲିପଶି ଏକାଦଶ ଚମ୍ପିୟାନ
ଚମ୍ପୁଆ : ଚମ୍ପୁଆ ଉପଖଣ୍ଡ ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବାରିଆ ଠାରେ ପ୍ରଗତି କ୍ଲବ ବାରିଆ ଆନୁକୂଲ୍ୟରେ ଆୟୋଜିତ ଗ୍ରାମୀଣ ପଂଚଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଂଟର ଉଦଯାପନୀ ଅନୁଷ୍ଠିତ ହୋଇଯାଇଛି । ଏହି ଉଦଯାପନୀ ଦିବସର ଫାଇନାଲ୍ ଖେଳରେ ବାଲିପଶି ଏକାଦଶ ଓ ଚେମେଣା ଏକାଦଶ ମଧ୍ୟରେ ହୋଇଥିବାବେଳେ ବାଲିପଶି ଏକାଦଶ ୭୫ ରନରେ ବିଜୟ ହାସଲ କରି ଚମ୍ପିୟାନ ଘୋଷିତ ହୋଇଥିଲା । ଏହି ଅବସରରେ ମୂଖ୍ୟ ଅତିଥି ଭାବେ ବାରିଆ ପୂର୍ବତନ ସମିତି ସଭ୍ୟା ସୁଷମା ମୁଣ୍ଡା ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ବାରିଆ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ କମଳା କାନ୍ତ ମହାନ୍ତ ଯୋଗଦେଇ ବିଜେତା ଓ ଉପ ବିଜେତା ଦଳମାନଙ୍କୁ ପୁରସ୍କାର ରାଶି ସହିତ ଅନ୍ୟାନ୍ୟ ଟ୍ରଫି ପ୍ରଦାନ କରିଥିଲେ । ଏହି ଫାଇନାଲ ଟୁର୍ଣ୍ଣାମେଂଟକୁ ପରେଶ ଏବଂ କାଳିଆ ଅମ୍ପେୟାର ଭାବେ ପରିଚାଳନା କରିଥିଲେ । ବାଲିପଶି ଏକାଦଶର କ୍ୟାପଟେନ ରାଜେଶ କୁମାର ମହାନ୍ତଙ୍କୁ ବିଜେତା ପୁରସ୍କାର ରାଶି ନଗଦ ୧୨ ହଜାର ଟଙ୍କା ସହିତ ଟ୍ରଫି ଓ ଚେମେଣା ଏକାଦଶ କ୍ୟାପଟେନ ସିପୁଙ୍କୁ ଉପବିଜେତା ରାଶି ନଗଦ ୮ ହଜାର ଟଙ୍କା ଓ ଟ୍ରଫି ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳରେ ଅସୀମ ଅମିତାଭ ମହାନ୍ତ ୨୨ ଟି ବଲରେ ବିସ୍ଫୋରକ ୫୩ ରନ ସଂଗ୍ରହ କରି ମ୍ୟାନ ଅଫ ଦ ମ୍ୟାଚ ଘୋଷିତ ହୋଇଥିବାବେଳେ ଦ୍ରୁତ ବୋଲର ଯୋଗେନ୍ଦ୍ର ସର୍ବାଧିକ ୱିକେଟ ପାଇଁ ପୁରସ୍କୃତ ହୋଇଥିଲେ । ଏହି ଅବସରରେ କ୍ଲବ ର ସମସ୍ତ ସଦସ୍ୟଙ୍କ ସମେତ ବାରିଆ ଗ୍ରାମର ବହୁ ଖେଳପ୍ରେମୀ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଟୁର୍ଣ୍ଣାମେଂଟକୁ ସଫଳତା ପୂର୍ବକ ଆୟୋଜନ କରିବା ଦିଗରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସମସ୍ତ ସଦସ୍ୟ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଅତୁଳନୀୟ ଥିଲା । ତେଣୁ ସମସ୍ତଙ୍କୁ କ୍ଲବ ପକ୍ଷରୁ ଧନ୍ୟବାଦ ସହିତ କୃତଜ୍ଞତା ଜ୍ଞାପନ କରାଯାଇଛି ।
