ଫକୀର ମୋହନ ବିଶ୍ୱବିଦ୍ୟାଳୟର ଏକାଦଶତମ ସମାବର୍ତ୍ତନ ଉତ୍ସବ
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ଏକାଦଶତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି । ଓଡ଼ିଶାର ମହାମହିମ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର ଚାନ୍ସେଲର୍ ପ୍ରଫେସର ଗଣେଶୀଲାଲ୍ ଭର୍ଚୁଆଲ ମୋଡ୍ରେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ପ୍ରତିଟି ବିଦ୍ୟାର୍ଥୀଙ୍କ ଜୀବନରେ ଏହି ସମାବର୍ତ୍ତନ ଦିବସ ବଡ଼ ଗୁରୁତ୍ୱପୂର୍ଣ୍ଣ ଅଟେ । ସାଧନା ଓ ଗବେଷଣା ଜରିଆରେ ଜଗତ ଓ ଜୀବନର ହିତସାଧନ ନିମିତ୍ତ ଗବେଷକ ଟିଏ ସଦା ଉତ୍ସର୍ଗୀକୃତ ରହୁଥିବା ହେତୁ ସେମାନେ ଜାତୀୟ ଜୀବନର ଅମୂଲ୍ୟ ରତ୍ନ ତୁଲ୍ୟ । ଫକୀର ମୋହନ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଅନେକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ ସମ୍ପାଦନ କରି ଆସିଛି, ବିଶେଷତଃ କର୍ମଯୋଗୀ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାମରେ ନାମିତ ଏହି ବିଶ୍ୱବିଦ୍ୟାଳୟ ଫକୀର ମୋହନଙ୍କ ଆଦର୍ଶ, ନୀତି ଓ ସାଧନାରୁ ପ୍ରେରଣା ଲାଭ କରି ଅଗ୍ରସର ହେବାର ଅଦ୍ୱିତୀୟ ଉଦାହରଣ ସୃଷ୍ଟି କରିଛି ; ଏମିତିରେ ମଧ୍ୟ ପ୍ରତ୍ୟେକ ବ୍ୟକ୍ତି ନିଜନିଜ କ୍ଷେତ୍ରରେ ଅଦ୍ୱିତୀୟ ବା ୟୁନିକ୍ ହୋଇଥାନ୍ତି । ବ୍ୟକ୍ତିର ଏହି ସ୍ୱରୂପସ୍ଥିତିକୁ ଆବିଷ୍କାର କରି ତାର ବିକାଶ ନିମିତ୍ତ ପ୍ରକୃଷ୍ଟ କ୍ଷେତ୍ର ଯୋଗାଇଥାଏ ବିଶ୍ୱବିଦ୍ୟାଳୟ ବୋଲି ପ୍ରକାଶ କରିଥିଲେ ।
ବିଶିଷ୍ଟ ବୈଜ୍ଞାନିକ ଡ. ଅଜିତ୍ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମାବର୍ତ୍ତନୀ ବାର୍ତ୍ତା ପ୍ରଦାନ କରିଥିଲେ । କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ବିଶ୍ୱସ୍ତରୀୟ ଶିକ୍ଷା ଓ ଗବେଷଣାକୁ ଗୁରୁତ୍ୱ ଦେଇ ଫକୀର ମୋହନ ବିଶ୍ୱବିଦ୍ୟାଳୟ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଆସିଛି । ଏକ ଆଞ୍ଚଳିକ ଭୌଗୋଳିକ ପରିବେଷ୍ଟନୀର ବିଶେଷତ୍ୱକୁ ଦୃଷ୍ଟିରେ ରଖି ଧାନ, ପାନ ଓ ମୀନ ପ୍ରାସଙ୍ଗିକ ଗବେଷଣା ଠାରୁ ଆରମ୍ଭ କରି ଗ୍ରାମୀଣ ଅଞ୍ଚଳରେ ଶିକ୍ଷା, ସ୍ୟାସ୍ଥ୍ୟ ଓ କ୍ରୀଡ଼ାର ବିକାଶ ପ୍ରତି ଗୁରୁତ୍ୱ ପ୍ରଦାନ, ସାହିତ୍ୟ ମାଧ୍ୟମରେ ଜ୍ଞାନଚର୍ଚ୍ଚା ଏବଂ ଆସ୍ଥା ଓ ପସନ୍ଦ ଭିତ୍ତିକ ପାଠ୍ୟକ୍ରମ, ଆନ୍ତଃବିଦ୍ୟା ଅଧ୍ୟୟନ ମୂଳକ ପାଠ୍ୟକ୍ରମ, ଦକ୍ଷତା ଓ କୌଶଳ ବିକାଶ ମୂଳକ ପାଠ୍ୟକ୍ରମର ପ୍ରଚଳନ କରି ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ମେଧାଶକ୍ତି ବିକାଶ ପ୍ରତି ବିଶେଷ ପ୍ରଯତ୍ନ କରିଆସିଛି ବୋଲି ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ବୈଜ୍ଞାନିକ ଡ. ଅଜିତ କୁମାର ମହାନ୍ତିଙ୍କୁ ସମ୍ମାନ ଜନକ ଡି. ଏସସି, ଓ ଅଦ୍ୱୈତ ଗଡ଼ନାୟକ, ସୁଜାତା ମହାପାତ୍ର, ପ୍ରଫେସର ସୁଧାକର ପଣ୍ଡା, ଆର୍ ବାଳକୃଷ୍ଣ ପ୍ରମୁଖଙ୍କୁ ସମ୍ମାନ ଜନକ ଡି. ଲିଟ୍ ଉପାଧି ପ୍ରଦାନ କରାଯାଇଛି । ସେହିପରି ବିଜ୍ଞାନ, ସମାଜ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ୨୦୨୦ ମସିହା ଠାରୁ ୨୦୨୨ ମସିହା ମଧ୍ୟରେ ସ୍ନାତକୋତ୍ତର ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୮୧ ଜଣ ବିଦ୍ୟାର୍ଥୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା ଏବଂ ୯୮ ଜଣ ପିଏଚ୍. ଡି ଗବେଷକଙ୍କୁ ରୀତିମତ ଭାବରେ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଡିଗ୍ରୀ ପ୍ରଦାନ କରାଯାଇଥିଲା ।
