ବଲାଙ୍ଗିର ଜିଲାସ୍ତରୀୟ ଲୋକଉତ୍ସବ ଆରମ୍ଭ, ସାଂସ୍କୃତିକ ଶୋଭାଯାତ୍ରାରେ ଚଳଚଞ୍ଚଳ ସହର
ବଲାଙ୍ଗିର : ଦୁଇବର୍ଷ ପରେ ବଲାଙ୍ଗୀରରେ ପୁଣିଥରେ ଆରମ୍ଭ ହୋଇଛି ଜିଲାସ୍ତରୀୟ ଲୋକଉତ୍ସବ । ଏଥିପାଇଁ ଶୁକ୍ରବାର ଚଳଚଞ୍ଚଳ ହୋଇଉଠିଛି ବଲାଙ୍ଗିର ସହର ।
ଜିଲାପାଳ ଚଞ୍ଚଳ ରାଣା କୋଶଲ କଳାମଣ୍ଡଳର ଉଭୟ ନୂଆ ଓ ପୁରୁଣା ମଞ୍ଚ ପୂଜନ କରିଥିଲେ । ପରେ ଜିଲାର ସମସ୍ତ ବ୍ଳକରୁ ଆସିଥିବା କଳାକାର ଓ ସାଂସ୍କୃତିକ ଦଳକୁ ନେଇ ଏକ ବିରାଟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏହି ଶୋଭାଯାତ୍ରାରେ ଅତିରିକ୍ତ ଜିଲାପାଳ ଲମ୍ବୋଦର ଧରୁଆ, ବଲାଙ୍ଗିର ଉପ-ଜିଲାପାଳ କୁମାର ନାଗଭୂଷଣ , ଜିଲା ପରିଷଦ ସିଇଓ ସୁଶାନ୍ତ ସିଂ, ଜିଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ସ୍ଵାଇଁ , ଜିଲ୍ଲା କ୍ରୀଡା ଅଧିକାରୀ ପରାସର ବାଗ, ପୌର ନିର୍ବାହୀ ଅଧିକାରୀ ସାମୀ ଜୟଶ୍ରୀ ରେଡ୍ଡୀ, ପୌର ପରିଷଦର ସଦସ୍ୟଙ୍କ ସମେତ ବହୁ ବରିଷ୍ଠ କଳାକାର ଓ ସ୍ଵେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ । ଶୋଭାଯାତ୍ରା କଳାମଣ୍ଡଳ ପଡ଼ିଆରୁ ବାହାରି ସହର ପରିକ୍ରମା କରିଥିଲା । ତେବେ ଅପରାହ୍ନରେ କବିତା ଆସର ଥିବା ବେଳେ ରାତିରେ ସାଂସ୍କୃତିକ ସଭା ଓ ଲୋକ ସଂଗୀତ , ନୃତ୍ୟ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଉତ୍ସବ ଅବସରରେ କଳାମଣ୍ଡଳ ପଡିଆରେ ପଲ୍ଲିଶ୍ରୀ ମେଳା ଓ ହସ୍ବତନ୍ତ୍ର ପଦର୍ଶନୀ ହେବ । ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଥିଲେ ।
