ଜୁଲାଇ ୧ରୁ ଉତ୍ତରପ୍ରଦେଶରେ ଖୋଲିବ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସ୍କୁଲ
- ଆସନ୍ତା ସପ୍ତାହରୁ ଚାଲିବ ମଲ୍ ଓ ରେଷ୍ଟୁରାଣ୍ଟ
ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ କରୋନା ପ୍ରକୋପ ଥମିବା ସହ ସ୍ଥିତି ନିୟନ୍ତ୍ରଣରେ ରହିଛି। ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ ଆଦିତ୍ୟନାଥ ସରକାର ଜୁଲାଇ ୧ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି। ସରକାର ନିଜ ଆଦେଶରେ କହିଛନ୍ତି, ଏହି ସ୍କୁଲଗୁଡିକରେ ସଂପ୍ରତି ପିଲାଙ୍କୁ ଆସିବାକୁ ଅନୁମତି ଦିଆଯାଇ ନାହିଁ। ବିଦ୍ୟାଳୟ କର୍ତ୍ତୃପକ୍ଷ ଶିକ୍ଷକ ଏବଂ କର୍ମଚାରୀଙ୍କୁ ନିଜ ଆବଶ୍ୟକତା ଅନୁଯାୟୀ, ବିଦ୍ୟାଳୟକୁ ଡକାଇ ପାରିବେ। ରାଜ୍ୟରେ କରୋନା ମାମଲା ସଂକ୍ରମଣ କମୁଥିବା ଦେଖି ସରକାର ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ସ୍କୁଲରେ କରୋନା ନିୟମ କଡାକଡି ପାଳନ କରିବାକୁ ଆଦେଶ ଦିଆଯାଇଛି। ଏହା ପୂର୍ବରୁ ଉତ୍ତର ପ୍ରଦେଶରେ ଜୁନ ୩୦ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ କରିବାକୁ ଆଦେଶ ଦେଇଥିଲେ। ରାଜ୍ୟରେ କରୋନାକାଳରେ ସମସ୍ତ ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ଅନଲାଇନରେ ପାଠପଢା ଚାଲିଥିଲା। ହେଲେ ମଝିରେ କିଛି ଦିନ ପର୍ଯ୍ୟନ୍ତ ଅଭିଭାବକଙ୍କ ସହମତିରେ ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ବିଦ୍ୟାଳୟ ଆସିବାକୁ ଅନୁମତି ଦିଆଯାଇଥିଲା। ହେଲେ କରୋନାର ଦ୍ଵିତୀୟ ଲହର ଆରମ୍ଭ ହେବା ପରେ ଏହି ଆଦେଶକୁ ରଦ୍ଦ କରାଯାଇଥିଲା।
ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ଲାଗୁ କରୋନା କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ମଙ୍ଗଳବାର ବୈଠକ ବସିଥିଲା। ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ, ଆସନ୍ତା ସପ୍ତାହରୁ ନାଇଟ୍ କର୍ଫ୍ୟୁ କୋହଳ କରିବା ସହ ମଲ୍ ଓ ରେଷ୍ଟୁରାଣ୍ଟ ନିର୍ଦ୍ଧାରିତ କ୍ଷମତା ସହ ଖୋଲିବାକୁ ଅନୁମତି ଦିଆଯାଇଛି। ଏହା ପରେ ଆସନ୍ତା ସପ୍ତାହରୁ ରାଜ୍ୟରେ ମଲ୍ ଓ ରେଷ୍ଟୁରାଣ୍ଟ ୫୦ ପ୍ରତିଶତ କ୍ଷମତା ସହ ଖୋଲିବାକୁ ଯାଉଛି।
