ଆଇଏମଆଇଟିର ହୀରକ ଜୟନ୍ତୀ ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିଛି-ବିଧାୟକ ପ୍ରତାପ ଜେନା
କଟକ : ଶିକ୍ଷାନୁଷ୍ଠାନ ଆଇଏମଆଇଟିର ହୀରକ ଜୟନ୍ତୀ ଉତ୍ସବ ସ୍ଥାନୀୟ ସାରଳା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ତଥା ଦେଶରେ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଆଇଏମଆଇଟି ଓ ଏହାର ଛାତ୍ରଛାତ୍ରୀମାନେ ମ୍ୟାନେଜମେଣ୍ଟ ଶିକ୍ଷା ସ୍ରୋତର ନେତୃତ୍ୱ ନେଇଛନ୍ତି ବୋଲି କହିଥିଲେ । ହୀରକ ଜୟନ୍ତୀ ଅବସରରେ ଆୟୋଜିତ ଆଲୁମିନି-୨୦୨୩ରେ ଅଧ୍ୟକ୍ଷ ପ୍ରଫେସର ଡ. ମାନସ ରଂଜନ କବାଟ ଅଧ୍ୟକ୍ଷତା କରିଥିଲା ବେଳେ ଆଲୁମିନି ମିଟ୍ ର ଅଧ୍ୟକ୍ଷ ସୁଜିତ କୁମାର ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଯୋଗଦେଇ ଆଇଏମଆଇଟିର ଦୀର୍ଘ ବର୍ଷର ଯାତ୍ରା ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛି ବୋଲି ପ୍ରକାଶ କରିଥିଲେ । ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଯୋଗଦେଇ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ପ୍ରଚେଷ୍ଟା ଆଜି ଏହି ଅନୁଷ୍ଠାନକୁ ଦୃଢ ଭାବେ ଛିଡା କରିପାରିଛି ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ ଯୋଗଦେଇ ଆଇଏମଆଇଟିର ସଫଳତା ପାଇଁ ଉଚ୍ଚ ପ୍ରଶଂସା କରିଥିଲେ । ସଂଯୋଜକ କୁମାର ପ୍ରସନଜିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏମସିଏ ବିଭାଗ ମୁଖ୍ୟ ଡ. ଶୁଭେନ୍ଦ୍ର କୁମାର ମାନସିଂହ, ଅଧ୍ୟାପିକା ସୁଜାତା ରାୟ, ଏମବିଏ ସଂଯୋଜକ ଅଧ୍ୟାପକ ରଜତକୁମାର ବଳିଆରସିଂହଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ପୁରାତନ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ପୁରାତନ ଛାତ୍ରଛାତ୍ରୀ ଏବଂ ଏମସିଏ ଓ ଏମବିଏ ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
