ଓଲିଉଡ୍ ଗାୟକ ହ୍ୟୁମାନ୍ ସାଗରଙ୍କ ବିରୋଧରେ ପତ୍ନୀଙ୍କ ଥାନାରେ ଏତଲା
କଟକ : ପୁଣି ଥରେ ବିବାଦରେ ଫସିଛନ୍ତି ଓଲିଉଡର ଆଗଧାଡିର ଗାୟକ ହ୍ୟୁମାନ ସାଗର । ହ୍ୟୁମାନଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ । ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରି ପତ୍ନୀ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ମାନସିକ ଓ ଶାରିରୀକ ନିର୍ଯାତନା ନେଇ ପତ୍ନୀ ଶ୍ରୀୟା ମିଶ୍ର କଟକ ଡିସିପି ପିନାକ ମିଶ୍ରଙ୍କୁ ଜଣାଇଥିଲେ । ଏନେଇ ଡିସିପି ଶ୍ରୀ ମିଶ୍ର ତାଙ୍କୁ ମହିଳା ଥାନାରେ ଏତଲା ଦେବାକୁ କହିଥିଲେ । ହ୍ୟୁମାନଙ୍କ ପାରିବାରିକ ବିବାଦ ଅଧିକାଂଶ ସମୟରେ ଚର୍ଚ୍ଚାକୁ ଆସୁଥିବା ବେଳେ ଗତକାଲି କିନ୍ତୁ ଏହା ସୀମା ଟପିଯାଇଛି । ନିଜ ସ୍ୱାମୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ନ୍ୟାୟ ପାଇଁ ପତ୍ନୀ ଶ୍ରୀୟା ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତେବେ ଆସନ୍ତା କାଲି ଉଭୟଙ୍କୁ ଆପୋଷ ବୁଝାମଣା ପାଇଁ ମହିଳା ଥାନାରେ ହାଜର ହେବା ପାଇଁ ନୋଟିସ୍ ହୋଇଛି । ସୂଚନାଯୋଗ୍ୟ ଯେ, ଦାମ୍ପତ୍ୟ କଳହରୁ ଶ୍ରୀୟା ଏବେ ବାପଘର ବାଲେଶ୍ୱରରେ ରହୁଥିବା ବେଳେ ହ୍ୟୁମାନ ସାଗର ସିଡିଏରେ ରହୁଛନ୍ତି ।
