‘ସାଉଥ ପଏଣ୍ଟ’ର ବେଆଇନ ନିର୍ମାଣକୁ ଭାଙ୍ଗିଲା ସିଏମସି
କଟକ : ସାଉଥ ପଏଣ୍ଟ ହସ୍ପିଟାଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି । ହସ୍ପିଟାଲର ଜବର ଦଖଲ ଜମିକୁ ଆଜି ସିଏମସି ପକ୍ଷରୁ ଉଚ୍ଛେଦ କରାଯାଇଛି । ଏଥିସହ ସରକାରୀ ଜମି ଉପରେ ହସ୍ପିଟାଲ ନିର୍ମାଣ କରିଥିବା ବିଦ୍ୟୁତ ଟ୍ରାନ୍ସଫରମର ଓ ଅକ୍ସିଜେନ୍ ପ୍ଲାଣ୍ଟକୁ ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସିଏମସି ଡେପୁଟି କମିଶନର ଅଜୟ ମହାନ୍ତିଙ୍କ ନେତୃତ୍ୱରେ ଆଜି ଜବର ଦଖଲରେ ଥିବା ହସ୍ପିଟାଲର ପାଚେରୀକୁ ସଂପୂର୍ଣ୍ଣ ଭଙ୍ଗାଯାଇଥିବା ଜଣାଯାଇଛି । ଏଥିସହିତ ହସ୍ପିଟାଲ ବିଲ୍ଡିଂ ପ୍ଲାନ ଆପ୍ରୁଭାଲକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏନେଇ ପ୍ଲାନିଂ ଡିପାର୍ଟମେଣ୍ଟକୁ ଏକ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କୁହାଯାଇଛି । ଏହି ରିପୋର୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡେପୁଟି କମିଶନର ଶ୍ରୀ ମହାନ୍ତି କହିଛନ୍ତି । ଏହାଛଡା ବେଆଇନ ନିର୍ମାଣକୁ ନେଇ ହସ୍ପିଟାଲ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ଏତଦ୍ ବ୍ୟତୀତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କର ଯଦି କୈାଣସି ଅଭିଯୋଗ ଥାଏ ତେବେ ପକ୍ଷ ରଖିବା ପାଇଁ ଆସନ୍ତା ୨୪ ତାରିଖ ସୁଦ୍ଧା ହାଜର ହୋଇ ଦସ୍ତାବିଜ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।
