ଅତ୍ୟାଧୁନିକ ଆମିଷ ମାର୍କେଟ ନିର୍ମାଣ କରି ବ୍ୟବସାୟୀମାନଙ୍କୁ ଯୋଗାଇବା ପାଇଁ ଦାବିପତ୍ର
କଟକ : ଅଲ୍ ଓଡ଼ିଶା ନନ୍ଭେଜ୍ ଟ୍ରେଡର୍ସ ଫେଡ଼େରେସନ୍ର ରାଜ୍ୟ ସଭାପତି ଶେଖ ମୁନ୍ତାକିମ୍ଙ୍କ ନେତୃତ୍ୱରେ ଅତ୍ୟାଧୁନିକ ଆମିଷ ମାର୍କେଟ ନିର୍ମାଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସିଏମ୍ସି କମିଶନରଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଗତବର୍ଷ ଭୁବନେଶ୍ୱରର ଘାଟିକିଆଠାରେ ଏକ ଆଧୁନିକ ମାଂସ ମାର୍କେଟ ଉଦ୍ଘାଟିତ ହୋଇଛି ଏବଂ ପାଣ୍ଡରା ଅଞ୍ଚଳରେ ପାଖାପାଖି ୫୦ କୋଟି ଟଙ୍କା ବ୍ୟୟର ଅତ୍ୟାଧୁନିକ ଆମିଷ ମାର୍କେଟ ନିର୍ମାଣ ହେବା ପାଇଁ ଜାଗା ଚିହ୍ନଟ ହୋଇସାରିଛି । ହେଲେ ହଜାର ବର୍ଷରୁ ଉର୍ଦ୍ଧ୍ୱ ଐତିହାସିକ କଟକ ସହରରେ ଏହା ଏପର୍ଯ୍ୟନ୍ତ ହୋଇପାରିଲାନି ।
ସିଏମସିର ପ୍ରତ୍ୟେକ ୱାର୍ଡ଼ରେ ଅତ୍ୟାଧୁନିକ ଆମିଷ ମାର୍କେଟ ନିର୍ମାଣ କରିବା ଲାଗି ସି.ଏମ୍.ସି. କର୍ତ୍ତୃପକ୍ଷ ଓ ଓଡ଼ିଶା ସରକାରଙ୍କୁ ଅନୁରୋଧ କରାଯାଇଛି । କଟକ ମାଂସ ବ୍ୟବସାୟୀମାନଙ୍କ ପାଇଁ ତିଆରି ହୋଇଥିବା ଛେଳି କିଲ୍ଖାନା ଯଥା- ପଟାପୋଲ, କେଶରପୁର, ନେହେରୁପଲ୍ଲୀ ଓ ଖାନ୍ନଗରରେ ବିଭିନ୍ନ ମୌଳିକ ସମସ୍ୟା ଯଥା ଆବର୍ଜନାପାଣି ନିଷ୍କାସନ ପାଇଁ ନାଳ ନାହିଁ, ପ୍ରତ୍ୟେକ ଦିନ ସଫା ମଧ୍ୟ କରାଯାଉନାହିଁ । ଏବଂ ଭଗ୍ନ ଅବସ୍ଥାରେ କିଲ୍ଖାନାଗୁଡ଼ିକ ଅଛି । ତେଣୁ କିଲ୍ଖାନା ସହ ଛେଳି ବ୍ୟବସାୟୀମାନଙ୍କ ପାଇଁ ସମସ୍ତ ସୁବିଧା ସହ ଅତ୍ୟାଧୁନିକ ମାଂସ ମାର୍କେଟ ଯଥାଶୀଘ୍ର ନିର୍ମାଣ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ । କଟକର ସମସ୍ତ ମାଛ ବ୍ୟବସାୟୀଙ୍କ ପାଇଁ ଅତ୍ୟାଧୁନିକ ଶୀତତାପ ମାର୍କେଟ ସମସ୍ତ ସୁବିଧା ସହ ନିର୍ମାଣ କରି ପ୍ରତ୍ୟେକ ୱାର୍ଡ଼ରେ ମାଛ ବ୍ୟବସାୟୀଙ୍କୁ ପ୍ରଦାନ କରାଯାଉ । ପ୍ରତ୍ୟେକ ୱାର୍ଡ଼ରେ ଚିକେନ୍ର ଚାହିଦା ଅନୁଯାୟୀ କୁକୁଡ଼ା ମାଂସ ବିକ୍ରି କରିବା ପାଇଁ ଅତ୍ୟାଧୁନିକ ଚିକେନ୍ ମାର୍କେଟ ସମସ୍ତ ସୁବିଧା ସହ ନିର୍ମାଣ କରାଯିବା ଦାବ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେଦାରନାଥ ବେହେରା, ଦେବେନ୍ଦ୍ର ବେହେରା, ଭୀମସେନ ସେଠୀ, ହୃଷିକେଶ ବେହେରା, ଶେଖ ହୁସେନ ମହମ୍ମଦ, ଶେଖ ମୁଜାମମିଲ୍ ଓର୍ଫ ଲାଲା ସର୍ଦ୍ଦାର, ଶେଖ ହାସିମ୍, ଶେଖ ଇନାମ ଅଲ୍ଲି ଖାନ୍ ସୋନା, ଶେଖ ବିଲାଲ, ନୃସିଂହ ରାଉତ, ସେସନ ଦାସ, ବିଶ୍ୱନାଥ ବେହେରା, ବିଶୁ ତରାଇ, ଅବଦୁଲ ଦୟାନ୍ଙ୍କ ସହ ଅନ୍ୟ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।
