ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୩୧୭ ରନରେ ହରାଇ ୩-୦ରେ ସିରିଜ୍ ଜିତିଲା ଭାରତ
India's Mohammed Siraj (C) celebrates with teammates after taking the wicket of Sri Lanka's Kusal Mendis (not pictured) during the third and final one-day international (ODI) cricket match between India and Sri Lanka at the Greenfield International Stadium in Thiruvananthapuram on January 15, 2023. (Photo by Arun SANKAR / AFP) / ----IMAGE RESTRICTED TO EDITORIAL USE - STRICTLY NO COMMERCIAL USE-----
ଥିରୁଭନନ୍ତପୁରମ : ତୃତୀୟ ତଥା ଅନ୍ତିମ ଦିନିକିଆରେ ଶ୍ରୀଲଙ୍କାକୁ ୩୧୭ ରନର ରେକର୍ଡ ବ୍ୟବଧାନରେ ହରାଇଲା ଭାରତ । ଅନ୍ତର୍ଜାତୀୟ ଦିନିକିଆ ଇତିହାସରେ ଏହା ହେଉଛି ସର୍ବବୃହତ ବିଜୟ ବ୍ୟବଧାନ । ଏଥିସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁୁ ୩-୦ରେ କ୍ଲିନ୍ ସୁଇପ୍ କରିଛି ।
ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ୫ ୱିକେଟ୍ ହରାଇ ୩୯୦ ରନର ବିଶାଳ ସ୍କୋର କରିଥିଲା । ଚମତ୍କାର ଫର୍ମ ଜାରି ରଖି କୋହଲି ତାଙ୍କ ଦିନିକିଆ କ୍ୟାରିୟରର ୪୬ତମ ଶତକ ହାସଲ କରିଥିଲେ । ସେ ମାତ୍ର ୧୧୦ଟି ବଲରେ ୧୩ଟି ଚୌକା ଓ ୮ଟି ଛକା ସହ ଅପରାଜିତ ୧୬୬ ରନ୍ କରିଥିଲେ । ଗିଲ୍ ମଧ୍ୟ ଆଜି ଚମକିଥିଲେ । ସେ ୯୭ଟି ବଲରେ ୧୪ଟି ଚୌକା ଓ ୨ଟି ଛକା ବଳରେ ୧୧୬ ରନ୍ କରିଥିଲେ । ଗିଲଙ୍କ ଏହା ଦ୍ୱିତୀୟ ଶତକ ଥିଲା । ଏହି ଏଭରେଷ୍ଟ ସଦୃଶ ବିଜୟଲକ୍ଷ୍ୟ ଜବାବରେ ଶ୍ରୀଲଙ୍କା ବ୍ୟାଟିଂ ତାସର ଘର ପରି ଭୁଶୁଡ଼ି ପଡ଼ିଥିଲା । ଶ୍ରୀଲଙ୍କା ୨୨ ଓଭରରେ ୯ ୱିକେଟ୍ ହରାଇ ୭୩ ରନ୍ କରିଥିଲା । ଶେଷ ବ୍ୟାଟ୍ସମ୍ୟାନ୍ ଆଶେନ୍ ବନ୍ଦାରା ଆଘାତ କାରଣରୁ ବ୍ୟାଟିଂ କରିବାକୁ ଆସିନଥିଲେ । ଭାରତ ତରଫରୁ ଦ୍ରୁତ ବୋଲର ମହମ୍ମଦ ସିରାଜ ପ୍ରଶଂସନୀୟ ପ୍ରଦର୍ଶନ ସହ ୪ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସାମି ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । କୋହଲି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ସିରିଜ୍ ବିବେଚିତ ହୋଇଥିଲେ ।
ପୂର୍ବରୁ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଧିନାୟକ ରୋହିତ ଶର୍ମା ଏବଂ ଶୁବମାନ ଗିଲ୍ ଦଳକୁ ମଜବୁତ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ପ୍ରଥମ ଓ୍ଵିକେଟ୍ରେ ୯୫ ରନ ଯୋଡି ବଡ ସ୍କୋରର ମୂଳଦୁଆ ପକାଇଥିଲେ। ଅଧିନାୟକ ରୋହିତ ଶର୍ମା ୪୨ ରନ(୪୯ ବଲ୍, ୩ ଛକା, ୨ ଚୌକା) କରି ପାଭିଲିୟନ ଫେରିଥିଲେ। ଏହାପରେ ଗିଲ୍ ଓ ବିରାଟ କୋହଲି ଦଳର ଇନିଂସ ସମ୍ଭାଳିଥିଲେ। ଦୁହେଁ ଚମତ୍କାର ବ୍ୟାଟିଂ କରି ଶ୍ରୀଲଙ୍କା ବୋଲରଙ୍କୁ ପ୍ରହାର କରିଥିଲେ। ଏହି କ୍ରମରେ ଶୁବମାନ ନିଜର ଫର୍ମ ବଜାୟ ରଖି ଦିନିକିଆ କ୍ୟାରିୟରରେ ଦ୍ଵିତୀୟ ଶତକ ପୂରଣ କରିଥିଲେ। କୋହଲି ମଧ୍ୟ ୪୬ ତମ ଶତକ ପୂରଣ କରିଥିଲେ । ଚଳିତ ସିରିଜ୍ରେ କୋହଲିଙ୍କ ଏହା ଦ୍ଵିତୀୟ ଶତକ। କୋହଲି ଏବଂ ଗିଲ୍ ଦ୍ଵିତୀୟ ଓ୍ଵିକେଟ୍ରେ ୧୩୧ ରନର ଶତକୀୟ ଭାଗିଦାରୀ ଯୋଡିଥିଲେ। ୨୨୬ ସ୍କୋରରେ ଗିଲ୍ ପାଭିଲିୟନ ଫେରିଥିଲେ। ସେ ୯୭ ବଲ୍ରୁ ୧୪ ଚୌକା ଏବଂ ୨ ଛକା ବଳରେ ୧୧୬ ରନ କରିଥିଲେ।
କୋହଲି ପୁଣି ଶ୍ରେୟସ ଆୟରଙ୍କ ସହିତ ତୃତୀୟ ଓ୍ଵିକେଟ୍ ପାଇଁ ୧୦୮ ରନର ଶତକୀୟ ଭାଗିଦାରୀ କରିଥିଲେ। ଆୟର ୩୮ ରନ କରି ଆଉଟ୍ ହୋଇଥିଲେ। କେଏଲ ରାହୁଲ(୭) ଏବଂ ସୂର୍ଯ୍ୟକୁମାର ଯାଦବ(୪) ରନ କରିଥିଲେ। ବିରାଟ କୋହଲି ଚିତ୍ତାକର୍ଷକ ବ୍ୟାଟିଂ ସହ କ୍ରିଜରେ ଶେଷ ପର୍ଯ୍ୟନ୍ତ ରହି ଦଳକୁ ବିଶାଳ ସ୍କୋରରେ ପହଞ୍ଚାଇଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୩୯୦ ରନର ବିଶାଳ ସ୍କୋର କରିଛି। କୋହଲି ୧୧୦ ବଲ୍ରୁ ୧୩ ଚୌକା ଏବଂ ୮ ଛକା ସହ ୧୬୬ ରନର ଅପରାଜିତ ଇନିଂସ ଖେଳିଥିଲେ । ଦିନିକିଆରେ ଏହା ତାଙ୍କ ୪୬ତମ ଓ ମୋଟ ୭୪ତମ ଅନ୍ତର୍ଜାତୀୟ ଶତକ ।
