ଆଜିଠୁ ହକି ମହାସମର : ଆର୍ଜେଣ୍ଟିନା-ଦକ୍ଷିଣ ଆଫ୍ରିକା ଉଦଘାଟନୀ ମ୍ୟାଚ
ଭୁବନେଶ୍ୱର : ହକିପ୍ରେମୀଙ୍କ ପ୍ରତୀକ୍ଷାର ହେବ ଅବସାନ । ଆଜିଠାରୁ ଖେଳାଯିବ ହକି ବିଶ୍ୱକପର ମ୍ୟାଚ । କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ନବନିର୍ମିତ ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ୨ଟି ଲେଖାଏଁ ମ୍ୟାଚ । ଶୁକ୍ରବାର ପ୍ରଥମ ଦିବସରେ ମୋଟ୍ ୪ଟି ମ୍ୟାଚ୍ ଖେଳାଯିବ । ପୁଲ୍ ଏ’ର ଦୁଇଟି ମ୍ୟାଚ୍ ଭୁବନେଶ୍ୱରରେ ରହିଛି । ଅପରାହ୍ଣ ୧ଟାରୁ ଆର୍ଜେଣ୍ଟିନା-ଦକ୍ଷିଣ ଆଫ୍ରିକା ଏବଂ ଅପରାହ୍ଣ ୩ଟାରୁ ଅଷ୍ଟ୍ରେଲିଆ-ଫ୍ରାନ୍ସ ମ୍ୟାଚ୍ ଆରମ୍ଭ ହେବ । ସେହିପରି ରାଉରକେଲାରେ ପୁଲ ଡି’ର ପ୍ରଥମ ମ୍ୟାଚ୍ ଅପରାହ୍ଣ ୫ଟାରୁ ଇଂଲଣ୍ଡ-ୱେଲ୍ସ ମଧ୍ୟରେ ଏବଂ ସନ୍ଧ୍ୟା ୭ଟାରୁ ଘରୋଇ ଭାରତ ଓ ସ୍ପେନ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ ।

ବିଶ୍ୱକପ୍ ଶୁକ୍ରବାର ଠାରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ । ମୋଟ୍ ୪ଟି ଗ୍ରୁପ୍ରେ ୧୬ଟି ଦଳ ଭାଗ ନେଇଛନ୍ତି । ବିଶ୍ୱକପ୍ରେ ମୋଟ୍ ୪୪ଟି ମ୍ୟାଚ୍ ଖେଳାଯିବ । ରାଉରକେଲାରେ ୨୦ଟି ଏବଂ ଭୁବନେଶ୍ୱରରେ ଫାଇନାଲ ସମେତ ୨୪ଟି ମ୍ୟାଚ୍ ରହିଛି । ପୁଲ୍ ଏ’ରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା ପୁଲ୍ ବି’ରେ ବେଲଜିୟମ, ଜର୍ମାନୀ, ଦକ୍ଷିଣ କୋରିଆ, ଜାପାନ ପୁଲ୍ ସି’ରେ ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ, ମାଲେସିଆ, ଚିଲି ଏବଂ ପୁଲ୍ ଡି’ରେ ଭାରତ, ଇଂଲଣ୍ଡ, ସ୍ପେନ ଓ ୱେଲ୍ସ ରହିଛନ୍ତି ।
ଓଡ଼ିଶା କ୍ରମାନ୍ୱୟରେ ଦ୍ୱିତୀୟ ଥର ହକି ବିଶ୍ୱକପ୍ ଆୟୋଜନ କରି ହକି ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଛି । ଏଥରକୁ ମିଶାଇ ଭାରତ ଚତୁର୍ଥ ଥର ବିଶ୍ୱକପ୍ ଆୟୋଜନ କରୁଛି । ପୂର୍ବରୁ ୧୯୮୨ରେ ମୁମ୍ବାଇ, ୨୦୧୦ରେ ନୂଆଦିଲ୍ଲୀ ଏବଂ ୨୦୧୮ରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା । ପ୍ରଥମ ଥର ହକି ବିଶ୍ୱକପ୍ ଦୁଇ ଭିନ୍ନ ସହରରେ ଆୟୋଜିତ ହେଉଛି । ପୂର୍ବ ସଂସ୍କରଣ କେବଳ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା । କିନ୍ତୁ ୨୦୨୩ ସଂସ୍କରଣକୁ ରାଜ୍ୟ ସରକାର ଉଭୟ ରାଉରକେଲା ଓ ଭୁବନେଶ୍ୱରରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲେ । ଯେଉଁଥିପାଇଁ ରାଉରକେଲାରେ ନିର୍ମାଣ ହୋଇଥିଲା ୨୦ ହଜାରରୁ ଊଦ୍ଧ୍ୱର୍ ଦର୍ଶକ ଧାରଣ କ୍ଷମତା ରଖିଥିବା ବିର୍ସା ମୁଣ୍ଡା ଷ୍ଟାଡିୟମ । ମାତ୍ର ୧୫ ମାସ ମଧ୍ୟରେ ଷ୍ଟାଡିୟମର କାର୍ଯ୍ୟ ଶେଷ ହୋଇଥିଲା।
