ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆ ଜିତି ସିରିଜ୍ କବଜା କଲା ଭାରତ
କୋଲକାତା: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆ ଜିତି ସିରିଜ୍ କବଜା କଲା ଭାରତ। ଆଜି କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ଶ୍ରୀଲଙ୍କାକୁ ୪ ୱିକେଟ୍ରେ ପରାସ୍ତ କରିଛି ଭାରତ। ଶ୍ରୀଲଙ୍କା ୩୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୫ ରନ୍ କରିଥିବା ବେଳେ ଭାରତ ୬ ୱିକେଟ୍ ହରାଇ ୪୩.୨ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ପକ୍ଷରୁ ଅଭିଷ୍କା ଫର୍ଣ୍ଣାଣ୍ଡୋ ଓ ନୁୱାନିଦୁ ଫର୍ଣ୍ଣାଣ୍ଡୋ ଇନିଂସ୍ ଓପନ୍ କରିବାକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ମାତ୍ର ୨୯ ରନ୍ର ପାର୍ଟନରଶିପ୍ ହୋଇଥିଲା। ୫.୬ ଓଭରରେ ଅଭିଷ୍କା ମାତ୍ର ୨୦ ରନ୍ କରି ଆଉଟ୍ ହୋଇଥିଲେ। ମହମ୍ମଦ ସିରାଜ ତାଙ୍କୁ ବୋଲ୍ଡ କରି ଦେଇଥିଲେ। ଅନ୍ୟପକ୍ଷରେ ନୁୱାନିଦୁ ଓ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା କୁଶଲ ମେଣ୍ଡିସ୍ଙ୍କ ମଧ୍ୟରେ ୭୩ ରନ୍ର ଏକ ଭଲ ପାର୍ଟନରଶିପ୍ ହୋଇଥିଲା। ଦୁହେଁ ଦ୍ରୁତ ଗତିରେ ଦଳର ସ୍କୋରକୁ ଆଗେଇ ନେଉଥିବା ବେଳେ ଆଉଟ୍ ହୋଇଯାଇଥିଲେ କୁଶଲ। ସେ ୩୪ଟି ବଲ୍ରେ ୩୪ ରନ୍ (୩ ଚୌକା, ଗୋଟିଏ ଛକା) କରିଥିବା ବେଳେ କୁଲଦୀପ ଯାଦବଙ୍କ ବଲ୍ରେ ଏଲ୍ବିଡବ୍ଲ୍ୟୁ ହୋଇଥିଲେ। ସେ ଆଉଟ୍ ହେଲା ବେଳକୁ ଦଳର ସ୍କୋର ୧୦୨ରେ ପହଞ୍ଚିଥିଲା। କିନ୍ତୁ ତା’ପରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହେଲା। ଦଳ ଲଗାତାର ୱିକେଟ୍ ହରାଇଥିଲା। ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଧନଞ୍ଜୟ ଡି’ସିଲ୍ଭା ଖାତା ଖୋଲିପାରି ନଥିଲେ। ପ୍ରଥମ ବଲ୍ରେ ଅକ୍ଷର ପଟେଲ୍ଙ୍କ ଦ୍ୱାରା ସେ ବୋଲ୍ଡ ହୋଇଯାଇଥିଲେ। ଏହା ପରେ ଚରିତ ଅସଲଙ୍କା ସହ ମିଶି ଇନିଂସ୍କୁ ଆଗେଇ ନେବାକୁ ପ୍ରୟାସ କରିଥିଲେ ନୁୱାନିଦୁ। ତେବେ ୬୩ ବଲ୍ରୁ ୫୦ ରନ୍ କରିଥିବା ବେଳେ ୨୧.୧ ଓଭରରେ ଆଉଟ୍ ହୋଇଯାଇଥିଲେ ନୁୱାନିଦୁ। ଶୁବମନ ଗିଲ୍ଙ୍କ ଦ୍ୱାରା ସେ ରନ୍ ଆଉଟ୍ ହୋଇଥିଲେ। ନୁୱାନିଦୁଙ୍କ ପରେ କ୍ରିଜ୍କୁ ଆସିଥିବା ଅଧିନାୟକ ଦାଶୁନ ଶାଣକା ମାତ୍ର ୪ଟି ବଲ୍ର ସମ୍ମୁଖୀନ ହୋଇପାରିଥିଲେ। ପ୍ରଥମ ଦିନିକିଆରେ ଅପରାଜିତ ରହି ୧୦୮ ରନ୍ କରିଥିବା ଶାଣକା ଆଜି ୪ଟି ବଲ୍ରୁ ୨ ରନ୍ କରିଥିଲେ। କୁଲଦୀପ ଯାଦବ ତାଙ୍କୁ ବୋଲ୍ଡ କରି ଦେଇଥିଲେ। ଦଳୀୟ ସ୍କୋର ୧୨୬ରେ ପହଞ୍ଚିଥିବା ବେଳେ ଚରିତ ଅସଲଙ୍କା ଆଉଟ୍ ହୋଇଯାଇଥିଲେ। ସେ ୨୧ଟି ବଲ୍ରୁ ୧୫ ରନ୍ କରିଥିଲେ। ସେ କୁଲ୍ଦୀପ ଯାଦବଙ୍କ ଦ୍ୱାରା କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ। ୭ ନମ୍ବରରେ ଆସିଥିବା ୱାନିନ୍ଦୁ ହସରଙ୍ଗା ୧୭ଟି ବଲ୍ରୁ ୨୧ ରନ୍ (୩ ଚକୌ ଓ ଗୋଟିଏ ଛକା) କରିଥିଲେ। ଦୁନିଥ ୱେଲାଲାଗେଙ୍କ ସହିତ ମିଶି ସେ ୨୬ ରନ୍ର ପାର୍ଟନରଶିପ୍ କରିଥିଲେ। ହସରଙ୍ଗା ଆଉଟ୍ ହୋଇଯିବା ପରେ ଦଳୀୟ ସ୍କୋରକୁ ୧୫୨ରୁ ୧୭୭ ପର୍ଯ୍ୟନ୍ତ ଆଣିଥିଲେ ଦୁନିଥ ଓ ଚମିକା କରୁଣାରତ୍ନେ। ତେବେ କରୁଣାରତ୍ନେ ୨୫ଟି ବଲ୍ରୁ ୧୭ ରନ୍ କରିଥିବା ବେଳେ ଉମ୍ରାନ ମଲିକଙ୍କ ବଲ୍ରେ ଅକ୍ଷର ପଟେଲଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ୮ଟି ୱିକେଟ୍ ପଡ଼ି ଯାଇଥିଲେ ବି ଆତ୍ମବିଶ୍ୱାସ ନହରାଇ ଦୁନିତ ୱେଲାଲାଗେ ୩୪ଟି ବଲ୍ରୁ ୩୨ ରନ୍ (୩ ଚୌକା, ଗୋଟିଏ ଛକା) କରିଥିଲେ। ସେହିପରି କସୁନ ରଜିତା ୨୧ଟି ବଲ୍ରୁ ୧୭ ରନ୍ କରି ଅପରାଜିତ ରହିଥିବା ବେଳେ ଲହିରୁ କୁମାରା ଖାତା ଖୋଲି ପାରି ନଥିଲେ। କୁଲଦୀପ ଯାଦବ ଓ ମହମ୍ମଦ ସିରାଜ ସର୍ବାଧିକ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଉମ୍ରାନ ମଲିକ ୨ଟି ଓ ଅକ୍ଷର ପଟେଲ ଗୋଟିଏ ୱିକେଟ୍ ନେଇଛନ୍ତି।
୨୧୬ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ୧୦ ଓଭର ଭିତରେ ଦଳର ତିନି ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ପ୍ରଥମ ଦିନିକିଆରେ ଓପନିଂ ଯୋଡ଼ି ରୋହିତ ଶର୍ମା ଓ ଶୁବମନ ଗିଲ୍ଙ୍କ ବ୍ୟାଟରୁ ଅର୍ଦ୍ଧଶତକ ବାହାରିଥିବା ବେଳେ ଆଜି ଯଥାକ୍ରମେ ୧୭ ଓ ୨୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ଚମିକା କରୁଣାରତ୍ନେଙ୍କ ବଲ୍ରେ କୁଶଲ ମେଣ୍ଡିସ୍ଙ୍କ ହାତରେ ରୋହିତ କ୍ୟାଚ୍ ଆଉଟ୍ ହୋଇଥିଲେ। ଲହିରୁ କୁମାରାଙ୍କ ବଲ୍ରେ ଅଭିଷ୍କା ଫର୍ଣ୍ଣାଣ୍ଡୋଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ଶୁବମନ। ସେହିଭଳି ଗତ ମ୍ୟାଚ୍ରେ ଶତକ ମାରିଥିବା ବିରାଟ କୋହଲି ମାତ୍ର ୪ ରନ୍ରେ ଆଉଟ୍ ହୋଇଯାଇଥିଲେ। ଲହିରୁ କୁମାରାଙ୍କ ଦ୍ୱାରା ସେ ବୋଲ୍ଡ ହୋଇଯାଇଥିଲେ। ୯.୩ ଓଭରରେ ଭାରତ ୩ଟି ୱିକେଟ୍ ହରାଇ ୬୨ ରନ୍ କରିଥିଲା। ଏହା ପରେ କେଏଲ ରାହୁଲଙ୍କ ସହିତ ମିଶି ଇନିଂସକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ ଶ୍ରେୟସ ଆୟର। ତେବେ ୩୩ଟି ବଲ୍ରେ ୨୮ ରନ୍ (୫ ଚୌକା) କରିଥିବା ବେଳେ କସୁନ ରଜିତାଙ୍କ ବଲ୍ରେ ଏଲ୍ବିଡବ୍ଲ୍ୟୁ ହୋଇଥିଲେ। ୮୬ ରନ୍ରେ ୪ଟି ୱିକେଟ୍ ପଡ଼ିବା ପରେ କେଏଲ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଧୈର୍ଯ୍ୟର ସହିତ ଖେଳିଥିଲେ। ସେମାନେ ଦେଖିଚାହିଁ ଖେଳିଥିଲେ। ଫଳରେ ସେମାନଙ୍କ ମଧ୍ୟରେ ୭୫ ରନ୍ର ପାର୍ଟରଶିପ୍ ହୋଇଥିଲା। ଏହା ଦଳର ବିଜୟରେ ବଡ଼ ସହାୟକ ହୋଇଥିଲା। ତେବେ ଦଳର ସ୍କୋର ୧୬୧ରେ ପହଞ୍ଚିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍ ହୋଇଯାଇଥିଲେ। ସେ ୫୩ଟି ବଲ୍ରୁ ୪ଟି ଚୌକା ସହାୟତାରେ ୩୬ ରନ୍ କରି ଆଉଟ୍ ହୋଇଥିଲେ। ଚମିକା କରୁଣାରତ୍ନେଙ୍କ ବଲ୍ରେ କୁଶଲ ମେଣ୍ଡିସ୍ଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ହାର୍ଦ୍ଦିକ ଯିବା ପରେ ଆସିଥିଲେ ଅକ୍ଷର ପଟେଲ। ସେ ୨୧ଟି ବଲ୍ରୁ ୨୧ ରନ୍ କରିଥିଲେ। ତା’ ମଧ୍ୟରେ ଗୋଟିଏ ଚୌକା ଓ ଗୋଟିଏ ଛକା ରହିଛି। କିନ୍ତୁ ସେ ମ୍ୟାଚ୍କୁ ଶେଷ କରିବା ପର୍ଯ୍ୟନ୍ତ ରହିପାରିଲେ ନାହିଁ। ଧନଞ୍ଜୟ ଡି’ସିଲ୍ଭାଙ୍କ ବଲ୍ରେ ଚମିକା କରୁଣାରତ୍ନେଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ଅନ୍ୟପକ୍ଷରେ ଆଜି ଧୈର୍ଯ୍ୟର ସହ ଖେଳିଥିଲେ କେଏଲ ରାହୁଲ। ଫର୍ମ ସହିତ ସଂଘର୍ଷ କରୁଥିବା ରାହୁଲ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ଜିତାଇଥିଲେ। ସେ ୧୦୩ଟି ବଲ୍ରୁ ୬୪ ରନ୍ (୬ ଚୌକା) କରିଥିଲେ। ସେହିଭଳି କୁଲଦୀପ ଯାଦବ ୧୦ ବଲ୍ରେ ୧୦ ରନ୍ କରି ଅପରାଜିତ ରହିଥିଲେ। ସେଥିମଧ୍ୟରେ ଥିଲା ୨ଟି ଚୌକା। ଶ୍ରୀଲଙ୍କା ପକ୍ଷରୁ ଲହିରୁ କୁମାରା ଓ ଚମିକା କରୁଣାରତ୍ନେ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଧନଞ୍ଜୟ ଡି’ସିଲ୍ଭା ଓ କସୁନା ରଜିତା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ସୂଚନା ଯେ, ଆସନ ଜାନୁଆରୀ ୧୫ରେ ତିରୁଅନନ୍ତପୁରମରେ ଦୁଇ ଦେଶ ମଧ୍ୟରେ ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ।
