ଛୁରାମାଡ଼ କରି ଟ୍ରଲର ଡ୍ରାଇଭରଙ୍କୁ ଲୁଟିଲେ
ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ଅଂଚଳରେ ବୃଦ୍ଧିପାଉଛି ଅପରାଧିକ ମାମଲା । ପ୍ରତ୍ୟେହ ଅପରାଧ ବୃଦ୍ଧି ପାଉଥିବା ବେଳେ ପୋଲିସ ଅପରାଧ ରୋକିବାରେ ଏକ ପ୍ରକାର ଅସମର୍ଥ ହୋଇ ପଡିଛି । ପ୍ରତ୍ୟେହ ଚୋରି , ଡକାୟତି, ରାହଜାନୀ ବୃଦ୍ଧି ପାଉଥିବା ବେଳେ ପୁଣି ଟ୍ରଲର ଡ଼୍ରାଇଭରଙ୍କୁ ଛୁରାମାଡ଼ କରି ୫ ହଜାର ଟଙ୍କା ଲୁଟିନେଇଛନ୍ତି ଦୃବୃର୍ତ୍ତ । ଛୁରା ମାଡ଼ରେ ଡ଼୍ରାଇଭର ଗୁରୁତର ଅସ୍ଥାରେ ଚିକିତ୍ସିତ ହେଉଥିବା ନେଇ ସୂଚନା ରହିଛି । ବୁଧବାର ରାତିରେ ଘଖ ୦୧ ଛ ୫୦୪୯ ନଂ ଟ୍ରଲରଟି ଯୋଡ଼ା ଟିସ୍କୋ ୱେଷ୍ଟ ଛକ ନିକଟରେ ଠିଆ ହୋଇଥିବା ସମୟରେ ଦୁଇଜଣ ଦୃବୃର୍ତ୍ତ ଆସି ହଠାତ୍ ଟ୍ରଲର ଡ଼୍ରାଇଭରଙ୍କ ଉପରକୁ ଛୁରାମାଡ଼ କରିବା ସହ ତାଙ୍କଠାରୁ ୫ ହଜାର ଟଙ୍କା ଲୁଟିନେଇ ଚମ୍ପଟ ମାରିଥିଲେ । ଦୃବୃର୍ତ୍ତଙ୍କ ଛୁରା ମାଡ଼ରେ ଝାଡ଼ଖଣ୍ଡ ଜାମସଦପୁର ଅଞ୍ଚଳର ଡ଼୍ରାଇଭର ହ୍ରୀଦୟା ଯାଦବ ଲହୁଲୁହାଣ ହୋଇଯାଇଥିଲେ । ଏନେଇ ଯୋଡ଼ା ପୋଲିସକୁ ଖବର ଦିଆଯାଇଥିଲା । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଟ୍ରଲର ଡ଼୍ରାଇଭରଙ୍କୁ ଯୋଡ଼ା ଟାଟା ଷ୍ଟିଲ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଆହତ ଡ୍ରାଇଭର ହ୍ରୀଦୟା ଯାଦବଙ୍କ ଛାତି, ଜଂଘ ଓ ଗୋଡ଼ରେ ଗଭୀର କ୍ଷତ ହୋଇଛି ତେବେ ସେ ବିପଦମୁକ୍ତ ଥିବା ଜ୍ଜନାପଡ଼ିଛି । ସେପଟେ ଯୋଡ଼ା ପୋଲିସ ଅପରାଧୀଙ୍କୁ ଧରିବାପାଇଁ ଚେଷ୍ଟା ଚଳାଇଛି । ଯୋଡ଼ା ଅଞ୍ଚଳରେ ଲୁଟ, ରାହାଜାନୀ ଓ ଛିନତାଇ ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ, ପୋଲିସ୍ ରାତ୍ରୀ ପେଟ୍ରୋଲିଂ କଡ଼ାକଡ଼ି କରିବାକୁ ସାଧାରଣରେ ଦାବିହୋଇଛି ।
