ହକି ବିଶ୍ୱକପ୍ ଉଦ୍ଘାଟିତ ଚମକିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବାରବାଟୀ
କଟକ : ସାରା ସହର ଆଜି ମୁଖରିତ । ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବକୁ ନେଇ କଟକ ସହରର ସାହିବସ୍ତି, ଗଳିକନ୍ଦିରେ ଦେଖିବାକୁ ମିଳିଛି ଉତ୍ସାହ ଉଦ୍ଦୀପନା । ସୁନ୍ଦର ଭାବରେ ସଜେଇ ହୋଇଛି ସହର । ବାରବାଟୀ ଷ୍ଟାଡିୟମର ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ସିଧାସଳଖ ଉପଭୋଗ କରିବା ଲାଗି ସହରବାସୀଙ୍କ ନିମନ୍ତେ ସ୍ଥାନେ ସ୍ଥାନେ ବଡ ବଡ ଏଲଇଡି ସ୍କ୍ରିନ ଲଗାଯାଇଛି । ଦିନ ଗୋଟାଏରୁ ବାରବାଟୀ ଷ୍ଟାଡିୟମକୁ ଦର୍ଶକମାନଙ୍କ ଆଗମନ ହୋଇ ପ୍ରାୟ ୩ଟା ବେଳକୁ ଷ୍ଟାଡିୟମରେ ଖଚାଖଚ ଭିଡ ହୋଇଥିବାର ଦେଖିବାକୁ ମିଳିଥିଲା । ଅପରାହ୍ନ ୪ଟାରୁ ଓଡିଆ କଳାକାରମାନଙ୍କ ଦ୍ୱାରା ଗୀତ ନାଚ ହୋଇଥିଲା । ପୁରୀର ଓଡିଆ ରାପର ବିଗ ଡିଲଙ୍କ ପ୍ରଦର୍ଶନ ଖୁବ ଉଚ୍ଚକୋଟୀର ହୋଇଥିଲା । ଓଲିଉଡ ହିରୋ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ନୃତ୍ୟ ବେଶ ଉପଭୋଗ୍ୟ ହୋଇଥିଲା । ପ୍ରିନ୍ସ ଟ୍ୟାନ୍ସ ଗ୍ରୁପ, ରୁତୁରାଜ ମହାନ୍ତି ପ୍ରମୁଖ ନିଜ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକମକୁ ଉଦଘାଟନ କରିଥିଲେ । ଏଫଆଇଏଚ ସଭାପତି ତୟବ ଇକ୍ରମ ପ୍ରଥମେ ହକି ବିଶ୍ୱକପ ଉପରେ ଆଲୋକପାତ କରିଥିଲା ବେଳେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଯୋଗଦେଇ ଦ୍ୱିତୀୟ ଥର ପାଇଁ ଓଡିଶା ହକି ବିଶ୍ୱକପ୍ ଆୟୋଜନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲିକ ତିର୍କୀ, ଓଡିଶା କ୍ରୀଡା ମନ୍ତ୍ରୀ ତୁଷାରକାନ୍ତ ବେହେରା ଉପସ୍ଥିତ ଥିଲେ । ପ୍ରଥମେ ଓଡିଶୀ ନୃତ୍ୟୁଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି ଓ ନମିତା ମେଲେକାଙ୍କ ନେତୃତ୍ୱରେ ନୃତ୍ୟ ପରିବେଷଣ କରାଯାଇଥିଲା । ବଲିଉଡର ମନୀଷ ପଲ ଓ ଗୈାହର ଖାନଙ୍କ ଦ୍ୱାରା ମଂଚ ସଂଯୋଜନାରେ ପ୍ରୀତମ, ନିତି ମୋହନ, ବେନି ଦୟାଲ, ଅନ୍ତରା ମିତ୍ର, ଶ୍ରୀରାମ ଚନ୍ଦ୍ରା, ନିକାଶ ଅଜିଜ, ଅମିତ ମିଶ୍ର ପ୍ରମୁଖଙ୍କ ଦ୍ୱାରା ରଙ୍ଗାରଙ୍ଗ ନାଚ ଗୀତ ପ୍ରଦର୍ଶନ ଖୁବ୍ ଜମିଥିଲା । ସୂଚନାଯୋଗ୍ୟ ଯେ, ହକି ଟ୍ରଫି ସାରା ରାଜ୍ୟରେ ବୁଲିବା ପରେ ମଙ୍ଗଳବାର ରାତିରେ କଟକରେ ପହଂଚିଥିଲା ଟ୍ରଫି ଜଗତସିଂହପୁରରୁ ଆସି ବିଦ୍ୟାଧରପୁରରେ ପହଂଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇ ଜବାହରଲାଲ ଇନଡୋର ଷ୍ଟାଡିୟମକୁ ନିଆଯାଇଥିଲା । ଆଜି ସକାଳୁ କଟକ ସହର ପରିକ୍ରମା କରିବା ପରେ ବାରାବଟୀ ଷ୍ଟାଡିୟମରେ ପହଂଚିବା ପରେ ଉଦଘାଟନୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
