ଆମ ଆଦମୀ ପାର୍ଟିରୁ ବରିଷ୍ଠ ସଦସ୍ୟଙ୍କ ଇସ୍ତଫା
ବାରିପଦା : ମୟୂରଭଞ୍ଜ ଜିଲ୍ଲା ଆମ ଆଦମୀ ପାର୍ଟିର ବହୁ ବରିଷ୍ଠ ଓ ପ୍ରତିଷ୍ଠାତା ସଦସ୍ୟ ମାନେ ପାର୍ଟିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଆଜି ଦେଇଛନ୍ତି । ପୂର୍ବାହ୍ନରେ ଦାରଗାଡାହି ଠାରେ ଥିବା ପାର୍ଟିର ପୂର୍ବ କାର୍ଯ୍ୟାଳୟରେ ସମ୍ମିଳିତ ହୋଇ ଲିଖିତ ଘୋଷଣାନାମା ମାଧ୍ୟମରେ ଇସ୍ତଫା ପତ୍ର ରାଜ୍ୟ କାର୍ଯ୍ୟାଳୟକୁ ପଠାଇ ଦେଇଛନ୍ତି । ଅଭିଯୋଗ ଅନୁଯାୟୀ ଓଡିଶା ଆପ ତାର ମୂଳ ନୀତି ଓ ଆଦର୍ଶରୁ ବିଚ୍ୟୁତ ହୋଇଛି । ସ୍ୱରାଜ ନୀତିକୁ ଅନୁସରଣ କରୁନାହିଁ । ପାର୍ଟି ସଂଗଠନରେ ଏକଛତ୍ରବାଦୀ ଓ ସ୍ୱେଚ୍ଛାଚାରୀ ଭାବନା ଦେଖାଦେଇଛି । ସମସ୍ତ ସିଦ୍ଧାନ୍ତ ରାଜ୍ୟ କାର୍ଯ୍ୟାଳୟରେ ଏକତରଫା ଭାବେ ନିଆଯାଉଛି । ମୟୂରଭଂଜ ସଂଗଠନରେ ପୁରୁଣାମାନଙ୍କ ଆଉ ସ୍ଥାନ ନାହିଁ । ତାଙ୍କୁ ଅଣଦେଖା କରାଯାଉଛି । ଯେଉଁମାନେ ଅଳ୍ପଦିନ ତଳେ ଭିନ୍ନ ଦଳରୁ ଆସିଛନ୍ତି ସେମାନଙ୍କୁ ନେତୃତ୍ୱ ଦିଆଯାଇଛି । ଜିଲ୍ଲାର ଶତକଡା ୯୦ ଭାଗରୁ ଉର୍ଦ୍ଧ ଦଳିତ, ଆଦିବାସୀ ଓ ପଛୁଆବର୍ଗଙ୍କୁ ଅଣଦେଖା କରାଯାଉଛି । ଏ ବାବଦକୁ ଏକ ଅଭିଯୋଗ ପତ୍ର ପ୍ରତିବ୍ଲକରୁ ସକ୍ରୀୟ କର୍ମୀଙ୍କ ଶତାଧିକା ଦସ୍ତଖତ ସଂଗ୍ରହ କରି ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ଅରବିନ୍ଦ କେଜରିୱାଲ ଓ ଓଡିଶା ପ୍ରଭାରୀ ଶ୍ରୀ ବୀରେନ୍ଦ୍ର ସିଂ କାଡ଼ିଆନକୁ ପଠା ଯାଇଥିଲା । ଏହା ଉପରେ ମଧ୍ଯ କୌଣସି ପଦକ୍ଷେପ ନିଆ ନଯିବାରୁ ଏମାନେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି ବୋଲି ଦର୍ଶାଇଛନ୍ତି । ଇସ୍ତଫା ଦେଇଥିବା ସଦଶ୍ୟ ମାନଙ୍କ ମଧ୍ୟରେ ଆପର ପ୍ରତିଷ୍ଠାତା ସଦସ୍ୟ ଅଧ୍ୟାପକ ଗୋପବନ୍ଧୁ, ବାଦଲ ହେମ୍ବ୍ରମ, ପ୍ରତିଷ୍ଠାତା ସଦସ୍ୟ ଓ ପୂର୍ବତନ ବାରିପଦା ବିଧାୟକ ପ୍ରାର୍ଥୀ ରବୀନ୍ଦ୍ରନାଥ ସେଠୀ, ଚନ୍ଦନ କିସ୍କୁ, ବିରାମ ମୁର୍ମୁ ଚାନ୍ଦରାୟ ହାଁସଦା, ରାଜ୍ୟ ଯୁବ ସମ୍ପାଦକ, ସୁକୁମାର ରଂଜନ ପ୍ରଧାନ, ନନ୍ଦ କୁମାର ମହାପାତ୍ର, ରବିନ୍ଦ୍ର ଗିରି, ଲାଦୁରମ୍ ସୋରେନ୍, କାଶୀନାଥ ମାହାନା, ଏସ.କେ. ବାବୁ, ପ୍ରିୟଜିତ ମଦିନା ପ୍ରମୁଖ ବହୁ ସକ୍ରୀୟ ସଦସ୍ଯ ରହିଥିବା ବେଳେ, ଇସ୍ତଫା ଦେଇଥିବା କର୍ମୀମାନେ ମୟୂରଭଂଜର ବିକାଶ ପାଇଁ ମୟୂରଭଂଜ ସଂଯୁକ୍ତ ବିକାଶମଂଚ ନାମରେ ସଂଗଠନ ମାଧ୍ୟମରେ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି । ପୂର୍ଣ୍ଣାଙ୍ଗ ସଂଗଠନ ଗଢ଼ିବା ପାଇଁ ଏକ ୧୧ ଜଣିଆ ଆବାହକ ମଣ୍ଡଳୀ ଗଠନ କରାଯାଇଛି ।
