ହକି ବିଶ୍ୱକପ୍ ଉଦ୍ଘାଟନୀ ପର୍ବ ପାଇଁ ବାରବାଟୀ ପ୍ରସ୍ତୁତ ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ
କଟକ : କଟକ ସହରରେ ଆସନ୍ତା ୧୧ ତାରିଖରେ ହେବାକୁ ଥିବା ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବର ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଥିଲା ବେଳେ ବାରବାଟୀ ଷ୍ଟାଡିୟମ ଭିତର ପ୍ରସ୍ତୁତିକୁ ଆଜି ୫-ଟି ସଚିବ ଭିକେ ପାଣ୍ଡିୟାନ୍ ଅନୁଧ୍ୟାନ କରିଛନ୍ତି । ତାଙ୍କ ସହିତ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ । ଉଦଘାଟନ ଉତ୍ସବ ପାଇଁ ପ୍ରସ୍ତୁତ ମଂଚ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ଉଦ୍ଦିଷ୍ଟ ସ୍ଥାନ, ନିମନ୍ତ୍ରିତ ଅତିଥି, ବାହାରୁ ଆସୁଥିବା ଖେଳାଳି, ଦର୍ଶକଙ୍କ ବସିବା ବ୍ୟବସ୍ଥା ସହ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ସେହିପରି ଟ୍ରାଫିକ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ସହ ପରିମଳ ବ୍ୟବସ୍ଥା ସଂପର୍କରେ ସେ ପଚାରି ବୁଝିଥିଲେ । ବିଶ୍ୱକପ୍ ଉଦ୍ଘାଟନୀ ଅବସରରେ ଦେଶ ବିଦେଶରୁ ବହୁ ଭିଆଇପି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେଣୁ ବାରବାଟୀ ଷ୍ଟାଡିୟମକୁ କିଭଳି ପ୍ରସ୍ତୁତ କରାଯାଉଛି ତାହାର ସ୍ଥିତିକୁ ଯାଂଚ କରିଥିଲେ । ଭିଆଇପିମାନେ ଆସୁଥିବା ଗାଡି ରଖିବାର ବ୍ୟବସ୍ଥା, ହକି ଇଣ୍ଡିଆର କେନ୍ଦ୍ରୀୟ କର୍ମକର୍ତ୍ତା ଓ ବାହାରୁ ଆସୁଥିବା ମନ୍ତ୍ରିଗଣଙ୍କ ବସିବା ବ୍ୟବସ୍ଥା ସଂପର୍କରେ ସେ ଅନୁଧ୍ୟାନ କରିଥିଲେ । ଗୋଟିଏ ବ୍ଲକୁ ଯେପରି ଅନ୍ୟ ଗୋଟିଏ ବ୍ଲକକୁ କେହି ନ ଯାଇପାରିବେ ସେଥିପାଇଁ ବ୍ୟାରିକେଡ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଥିଲେ । ଗତକାଲି କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ବାରବାଟୀ ପରିଦର୍ଶନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱରେ ଥିବା ପଦାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଆଜିର ଏହି ଗସ୍ତରେ ଶ୍ରୀ ପାଣ୍ଡିୟାନଙ୍କ ସହ ସିଏମସି ମେୟର ସୁବାସ ସିଂହ, କମିଶନର ନିଖିଲ ପୱନ କଲ୍ୟାଣ, ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟକ ସୈାଭିକ ବିଶ୍ୱାଳ, ବିଧାୟକ ଦେବୀରଂଜନ ତ୍ରିପାଠୀ, ଓସିଏ ସଂପାଦକ ସଂଜୟ ବେହେରା, ପୋଲିସ କମିଶନର ସୈାମେନ୍ଦ୍ର ପ୍ରିୟଦର୍ଶୀ ଓ ଡିସିପି ପିନାକ ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
