ରାଜ୍ୟସ୍ତରୀୟ ଧର୍ମସଭାରେ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ
କଟକ : ପ୍ରାକୃତିକ ମାୟା ବନ୍ଧନରୁ ମୁକ୍ତ ହୋଇ ସମାଜରେ ଧାର୍ମିକ ଭାବନା ସୃଷ୍ଟି କରି ସ୍ୱାସ୍ଥ୍ୟ ସଚେତନତା ଭଳି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦ୍ୱାରା ଜୀବ ଇହକାଳରେ ମୁକ୍ତ ହୋଇ ପାରିବ ବୋଲି ସଦ୍ଗୁରୁ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ରୁଦ୍ରବିହାର ନିଗମ କଳ୍ପତରୁ ଆଶ୍ରମଠାରେ ଅନୁଷ୍ଠିତ ସଭାରେ ମତପୋଷଣ କରିଛନ୍ତି । ଏହି ରାଜ୍ୟସ୍ତରୀୟ ଧର୍ମସଭାରେ ଓଡିଶା ଆୟୁର୍ବେଦ ସେବା ସଂସ୍ଥାର ଅଧ୍ୟକ୍ଷ ଡାକ୍ତର ଦୀନବନ୍ଧୁ ମହାରଣା ସଭାପତିତ୍ୱ କରି ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ ପ୍ରାପ୍ତି ଲାଗି ସୁସ୍ଥ ଏବଂ ଆରୋଗ୍ୟ ରହିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା, ପ୍ରଫେସର ବୈଷ୍ଣବ ସାମଲ, ଭାରତ ସରକାରଙ୍କ କୁଳାଧିପତି ଡଃ ପ୍ରଫୁଲ୍ଲ କୁମାର ମିଶ୍ର, ପୂର୍ବତନ କୁଳପତି ହରେକୃଷ୍ଣ ଶତପଥୀ, ଡଃ ବିଜୟାନନ୍ଦ ସିଂହ, ଶିକ୍ଷାବିତ୍ ବଦ୍ରି ପଟ୍ଟନାୟକ, ପ୍ରଫୁଲ୍ଲ ରଥ, କଣ୍ଠଶିଳ୍ପୀ ସୁବାସ ଦାସ, ସାଧୁ ସନ୍ତୋଷ ଚୈତନ୍ୟ ବ୍ରହ୍ମଚାରୀ, ଆନନ୍ଦ ଚୈତନ୍ୟ ବ୍ରହ୍ମଚାରୀ, ପ୍ରଫେସର ମାନସ ରଂଜନ ମହାପାତ୍ର, ଡ. ଶଶଧର ପତି, ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ଶିବ ଚିଦାନନ୍ଦ ସରସ୍ୱତୀ, ପରମହଂସ ପ୍ରଜ୍ଞାନାନନ୍ଦ, କବି ଡା. ତାରକା ପ୍ରସନ୍ନ ତ୍ରିପାଠୀ, ଅଧ୍ୟାପକ ଡ. ପ୍ରମୋଦ ଆଚାର୍ଯ୍ୟ, ଆୟୁର୍ବେଦ ବିଶେଷଜ୍ଞ ଡାକ୍ତର ମିନତି ମହାରଣା ପ୍ରମୁଖ ଯୋଗଦେଇ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ସ୍ନନକ୍ଷତ୍ର ଅବସରରେ ପ୍ରକାଶିତ ଅଭିନନ୍ଦନିକା ‘ବ୍ରହ୍ମାନନ୍ଦ ସନ୍ଦେଶ’ ଉନ୍ମୋଚନ କରିଥିଲେ । ଏହି ଉତ୍ସବରେ ଓଡିଶା ଆୟୁର୍ବେଦ ସେବା ସଂସ୍ଥା ପକ୍ଷରୁ ଡାକ୍ତର ମହାରଣାଙ୍କ ତତ୍ୱାବଧ।।ନରେ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆୟୁର୍ବେଦୀୟ ଔଷଧ ବିତରଣ କରାଯାଇଥିଲା ।
