ଜମି କିଣାବିକା ଓ ଷ୍ଟାମ୍ପ୍ ଡ୍ୟୁଟି ଉପରେ ସମୀକ୍ଷା ଆଠ ମାସରେ ୧୧୧ କୋଟି ୪୬ ଲକ୍ଷ ରାଜସ୍ୱ ଆଦାୟ
କଟକ : କଟକ ସଦର ନିବନ୍ଧକଙ୍କ କାର୍ଯ୍ୟାଳୟ ସହିତ ଆଠଗଡ, ବାଙ୍କି, ବଡମ୍ବା, ଜଗତପୁର, ମାହାଙ୍ଗା, ନରସିଂହପୁର, ନିଆଳି, ସାଲେପୁର, ତିଗିରିଆ ଓ ବାରଙ୍ଗ ଉପନିବନ୍ଧଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ୮ ମାସ ମଧ୍ୟରେ ସର୍ବାଧିକ ୧୧୧ କୋଟି ୪୬ ଲକ୍ଷ ଟଙ୍କାର ରାଜସ୍ୱ ଆଦାୟ କରାଯାଇଛି । ତେବେ ଗତ ନଭେମ୍ବର ମାସ ସୁଦ୍ଧା ସଂପୃକ୍ତ ବିଭାଗ ପକ୍ଷରୁ କେବଳ ଷ୍ଟାମ୍ପ ଡ୍ୟୁଟି ବାବଦରେ ୭୫ କୋଟି ୮୭ ଲକ୍ଷ ୨୨ ହଜାର ଟଙ୍କାର ରାଜସ୍ୱ ଆଦାୟ କରାଯାଇଥିବା ବେଳେ ଜମି କିଣାବିକା ପଞ୍ଜିକରଣ ବାବଦରେ ୩୫ କୋଟି ୫୯ ଲକ୍ଷ ୭୮ ହଜାର ଟଙ୍କାର ରାଜସ୍ୱ ଆଦାୟ କରାଯାଇଥିବା ଜିଲ୍ଲା ଉପନିବନ୍ଧକ ଗୋପବନ୍ଧୁ ପରିଡା ସରକାରଙ୍କୁ ଦେଇଥିବା ରିପୋର୍ଟରେ ଦର୍ଶାଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିବନ୍ଧକ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ମିଶ୍ର ଜମିଗୁଡିକର ମୂଲ୍ୟାୟନକୁ ସଠିକ୍ ଭାବେ ଦର୍ଶାଇ ଷ୍ଟାମ୍ପ ଡ୍ୟୁଟି ନିର୍ଦ୍ଧାରଣ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଜମି କିଣାବିକା ପଞ୍ଜିକରଣ ଓ ଷ୍ଟାମ୍ପ ଡ୍ୟୁଟିରେ କଟକ ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟ ସର୍ବୋଚ୍ଚ ସ୍ଥାନରେ ରହିଥିଲା ବେଳେ ତିଗିରିଆ ଉପ ନିବନ୍ଧକ କାର୍ଯ୍ୟାଳୟରୁ ସର୍ବନିମ୍ନ ରାଜସ୍ୱ ଆଦାୟ ହୋଇଛି । କେବଳ କଟକ କାର୍ଯ୍ୟାଳୟରୁ ୩୧ କୋଟି ୮୪ ଲକ୍ଷ ଟଙ୍କାର ଷ୍ଟାମ୍ପ ଫି ଓ ପଞ୍ଜିକରଣ ବାବଦରେ ୧୫ କୋଟି ୨୫ ଲକ୍ଷ ୭୨ ହଜାର ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା ବେଳେ ତିଗିରିଆରୁ ଷ୍ଟାମ୍ପ ଡ୍ୟୁଟିରୁ ସର୍ବନିମ୍ନ ୫୭ ଲକ୍ଷ ୩୯ ହଜାର ଓ ପଞ୍ଜିକରଣ ବାବଦରେ ୨୬ ଲକ୍ଷ ୭୮ ହଜାର ୧୮୭ ଟଙ୍କା ଆଦାୟ କରାଯାଇଛି ।
