ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀଗଣନା ଆରମ୍ଭ
ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀଗଣନା ଆଜି ସକାଳ ଠାରୁ ଆରମ୍ଭ ହୋଇଛି । ହୀରକୁଦ ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ଏହି ପକ୍ଷୀ ଗଣନା କରାଯାଉଛି । ଆଜି ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ଏହି ପକ୍ଷୀ ଗଣନା । ଜଳଭଣ୍ଡାରରେ ୫୩୩ ବର୍ଗ କି.ମି. ପର୍ଯ୍ୟନ୍ତ ଏହି ଗଣନା କରାଯିବ । ସେହିପରି ପାୱାର କେନାଲର ୫.୭ ବର୍ଗ କି.ମି. ଏରିଆକୁ ଏଥିରେ ସାମିଲ୍ କରାଯାଇଛି । ଚଳିତ ବର୍ଷ ଛତିଶଗଡ଼ ବର୍ଡ଼ରର ସୁଖାସୋଡ଼ା ଓ ଅନ୍ତରାଢ଼ି ଯାଏଁ ପକ୍ଷୀ ଗଣନା କରାଯାଉଛି । ଏହି ପକ୍ଷୀଗଣନା କାର୍ଯ୍ୟରେ ୧୫ଟି ସେକ୍ଟରରେ ମୋଟ୍ ୩୦ଟି ଟିମ୍ ସାମିଲ୍ ହୋଇଛନ୍ତି । ବାଇନାକୁଲାର, ଜିପିଏସ କ୍ୟାମେରା ସାହାଯ୍ୟରେ ଏହି ପକ୍ଷୀ ଗଣନା କରାଯାଉଛି । କୌଣସି ପ୍ରକାର ଦୁର୍ଘଟଣାକୁ ଏଡାଇବା ପାଇଁ ଲାଇଫ୍ ଜାକେଟ୍ ମଧ୍ୟ ବ୍ୟବହାର କରାଯାଇଛି । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଡିଏଫଓ ଅଂଶୁପ୍ରଜ୍ଞା ଦାଶ ଏନେଇ ଅଧିକ ସୂଚନା ଦେଇ କହିଛନ୍ତି ଯେ, ପ୍ରତିବର୍ଷ ଏଠାକୁ ବହୁ ସଂଖ୍ୟାରେ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ । ଚଳିତ ବର୍ଷ କେତେ ସଂଖ୍ୟାରେ ବିଦେଶାଗତ ପକ୍ଷୀ ଆସିଛନ୍ତି ଏବଂ କେଉଁ କେଉଁ ପ୍ରଜାତିର ଆସିଛନ୍ତି ତାହାର ଗଣନା କରାଯାଉଛି । ହୀରାକୁଦ ଡ୍ୟାମ୍ ଠାରୁ ଓଡ଼ିଶା-ଛତିଶଗଡ଼ ବର୍ଡ଼ର ପର୍ଯ୍ୟନ୍ତ ଏରିଆରେ ଏହି ପକ୍ଷୀ ଗଣନା କରାଯାଇଛି । ଏହାକୁ ୧୫ଟି ସେକ୍ଟରରେ ବିଭକ୍ତ କରାଯାଇଛି । ୧୫ଟି ସେକ୍ଟରରେ ମୋଟ୍ ୩୦ଟି ଟିମ୍ ପକ୍ଷୀଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସ୍ଥାନୀୟ ମତ୍ସ୍ୟଜିବୀ ମାନଙ୍କୁ ମଧ୍ୟରେ ଏଥିରେ ନିୟୋଜିତ କରାଯାଇଛି । କାରଣ ସେମାନେ ଜାଣନ୍ତି ଜଳଭଣ୍ଡାରର କେଉଁ ଏରିଆରେ ଅଧିକ ସଂଖ୍ୟାରେ ପକ୍ଷୀ ରହୁଛନ୍ତି । ଏଥିସହ ଏକ୍ସପର୍ଟସ ମାନଙ୍କୁ ଏଥିରେ ନିୟୋଜିତ କରାଯାଇଛି ।
