ହକି ବିଶ୍ୱକପ୍ ଉଦଘାଟନୀ ପର୍ବକୁ ନେଇ ସହର ଚଳଚଂଚଳ ହକିର ମାହୋଲକୁ ନେଇ ଚମକୁଛି ସହର ଗଣଦୈାଡ କାର୍ଯ୍ୟକ୍ରମରେ ସାମିଲ
କଟକ : ଆସନ୍ତା ୧୧ ତାରିଖରେ ବାରବାଟୀରେ ହେବାକୁ ଥିବା ବିଶ୍ୱକପ୍ ହକି-୨୦୨୩ର ଉଦଘାଟନୀ ଉତ୍ସବ ପାଇଁ କଟକ ସହର ଚଳଚଂଚଳ ହୋଇଉଠିଛି । ଉତ୍ସବକୁ ଅଧିକ ମନୋରମ କରିବା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିଲା ବେଳେ ଲୋକମାନଙ୍କ ମଧ୍ୟରେ ଧିରେ ଧିରେ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ୧୦ ତାରିଖ ରାତିରେ କନ୍ଦରପୁରଠାରୁ ବିଶ୍ୱକପ୍ ହକି ଟ୍ରଫିକୁ ସ୍ୱାଗତ କରାଯାଇ ଇନଡୋର ଷ୍ଟାଡିୟମରେ ରଖାଯିବ । ୧୧ ତାରିଖ ସକାଳୁ ଟ୍ରଫିକୁ ନେଇ କଟକ ସହର ପରିକ୍ରମା କରାଯିବ । ସେଥିନେଇ ପ୍ରଶାସନ ପକ୍ଷରୁ ଏକ ରୁଟ୍ ମ୍ୟାପ୍ ଜାରି କରାଯାଇଛି ।ତ୍ତଏତଦ ବ୍ୟତୀତ ରିଙ୍ଗ୍ବନ୍ଧ ସୈାନ୍ଦର୍ଯ୍ୟକରଣ, ରାସ୍ତାଘାଟ ମରାମତି, ହକି ଥିମ୍କୁ ନେଇ ବିଭିନ୍ନ ଚିତ୍ରକଳା ସହ ଉଜ୍ୱଳ ଆଲୋକ ସହରରେ ଏକ ନିଆରା ବାତାବରଣ ସୃଷ୍ଟି କରିଛି । ଏଥିମଧ୍ୟରେ ସହରବାସୀଙ୍କୁ ଉତ୍ସବରେ ସାମିଲ କରିବା ସକାଶେ ପ୍ରଶାସନ ପକ୍ଷରୁ ଏକାଧିକ ସଭା ଓ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂଜା କମିଟି, ଶାନ୍ତି କମିଟି ସଦସ୍ୟ ଓ ସାହିି ମୁରବି ଏହି ମହୋତ୍ସବ ପାଳନ ପାଇଁ ଅଣ୍ଟା ଭିଡିଥିଲା ବେଳେ ୫୯ଗୋଟି ୱାର୍ଡରେ ଦୀର୍ଘ ୫ ଦିନ ଧରି ହକିର ମାହୋଲ ସୃଷ୍ଟି କରିବା ପାଇଁ ଏକାଧିକ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଲଗାତର ଭାବେ ଜାରି ରହିଛି । ଏତଦ୍ବ୍ୟତୀତ ସିଏମସି ପକ୍ଷରୁ କର୍ପୋରେଟରମାନଙ୍କ ସହାୟତାରେ ପ୍ରତ୍ୟେକ ପରିବାରକୁ ନିମନ୍ତ୍ରଣ କାର୍ଡ ବଣ୍ଟନ ଜାରି ରହିଛି । ଗତକାଲି ବାଲିଯାତ୍ରା ପଡିଆରେ ଥିବା କଟକ-ଇନ-କଟକରେ ଝୋଟି ଓ ବିଭିନ୍ନ ଚିତ୍ରକଳା ପ୍ରତିଯୋଗିତା କରାଯାଇ ସଚେତନତା ସୃଷ୍ଟି କରାଯାଇଥିଲା ବେଳେ ଆଜି ବିଭିନ୍ନ ଚିତ୍ରାଙ୍କନ ପ୍ରତିଯୋଗିତାରେ ସ୍କୁଲ କଲେଜ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି । ହକିର ମାହୋଲ ସୃଷ୍ଟି କରିବା ପାଇଁ ସହରର ବିଭିନ୍ନ ସ୍କୁଲ ଓ କଲେଜରେ ଖେଳକୁଦ ପ୍ରତିଯୋଗିତା ସହ ସଚେତନତା କାର୍ଯ୍ୟକ୍ରମ ଜାରି ରହଛି । କମିଶନରେଟ ପୋଲିସ ପକ୍ଷରୁ ଉଦଘାଟନୀ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଆଜି ସକାଳେ ଏକ ମିନି ଗଣଦୈାଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଶେଷକରି ସହରବାସୀ, କ୍ରୀଡାବିତ୍ ଓ କ୍ରୀଡାପ୍ରେମୀମାନେ ସହରରେ ହକିର ମାହୋଲ ସୃଷ୍ଟି କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ ସାହି ମୁରବି, ସାଧାରଣ ଜନତା, ରାଜନୈତକ ଦଳ ନେତା ଭାଗ ନେଇ ଏହି ଗଣଦୈାଡରେ ଅଂଶ ଗ୍ରହଣ କରିଥିଲେ । ଭାଇଚାରାର ସହର କଟକରେ ହକି ଉତ୍ସବରେ ଭାଗ ନେବା ପାଇଁ ଉପସ୍ଥିତ ଅତିଥିମାନେ ସହରବସୀଙ୍କୁ ଆହ୍ୱାନ କରିଥିଲେ । ‘ଆମ ପୋଲିସ ଆମ ସୁରକ୍ଷା’ କାର୍ଯ୍ୟକ୍ରମ ଜରିଆରେ ବକ୍ସିବଜାରସ୍ଥିତ ରିଜର୍ଭ ପୋଲିସ ପଡିଆଠାରୁ ଏହି ମାରାଥନ ଆରମ୍ଭ କରାଯାଇ ବକ୍ସିବଜାର ଛକ, ସମାଜ ଅଫିସ୍, ଷ୍ଟିୱାର୍ଟ କଲେଜ, ବାରବାଟୀ ଷ୍ଟାଡିୟମ, ବାରବାଟୀ ଦୁର୍ଗ ନିକଟ ଦେଇ ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ପହଂଚିଥିଲା । ସେଠାରେ ଆୟୋଜିତ ଏକ ସଭାରେ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ କଟକ ମହାନଗର ନିଗମ କମିଶନର ନିଖିଲ ପୱନ କଲ୍ୟାଣ, ସାଂସଦ ଭର୍ତ୍ତୃହରି ମହତାବ, ମେୟର ସୁବାସ ସିଂ, ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, ଚୈାଦ୍ୱାର-କଟକ ବିଧାୟକ ସୈାଭିକ ବିଶ୍ୱାଳ, ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍, ବାଙ୍କି ବିଧାୟକ ଦେବୀରଂଜନ ତ୍ରିପାଠୀ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ପୋଲିସ କମିଶନର ସୈାମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଯୋଗଦେଇଥିଲା ବେଳେ ଡିସିପି ପିନାକ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
