ହକି ଉଦଘାଟନୀ ଉତ୍ସବରେ ସାମିଲ ହେବେ ସହରବାସୀ ପ୍ରତି ୱାର୍ଡରେ ଚାଲିବ ଖେଳକୁଦ ପ୍ରତିଯୋଗିତା ୫୯ ୱାର୍ଡରେ ପ୍ରସ୍ତୁତ ହେବ ୭୫ ଭିୟର୍ସ ପାର୍କ
କଟକ : ବିଶ୍ୱକପ୍ ହକି ଉଦଘାଟନୀ ଉତ୍ସବକୁ ଅଧିକ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ସହରର ଘରେ ଘରେ ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏଥିରେ ସାମିଲ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଶେଷ ଯୋଜନା କରାଯାଇଛି । ୫ ଦିନ ବ୍ୟାପି ହେବାକୁ ଥିବା ଖେଳକୁଦ କାର୍ଯ୍ୟକ୍ରମରେ ୫୯ଟି ୱାର୍ଡର ସବୁ ଲୋକଙ୍କୁ ସାମିଲ କରିବା ପାଇଁ ଏକାଧିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ୱାର୍ଡରେ କ୍ରୀଡାବିତ ଓ କ୍ରୀଡାପ୍ରେମୀମାନଙ୍କୁ ନେଇ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହେବ ଏବଂ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ୱାର୍ଡ ଅଫିସରଙ୍କ ଜରିଆରେ ଏହି କାର୍ଯ୍ୟକ୍ରମ ଜାରି ରହିବ । ଏତଦ୍ ବ୍ୟତୀତ ସହରର ସବୁ ପରିବାରକୁ ଏହି ମେଗା କାର୍ଯ୍ୟକ୍ରମରେ ଭାଗ ନେବାକୁ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯିବ ବୋଲି ସହିଦ ଭବନଠାରେ ଅନୁଷ୍ଠିତ ସଭାରେ ନିଷ୍ପତି ନିଆଯାଇଛି । କଟକ ମହାନଗର ମେୟର ସୁବାସ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମେଗା କାର୍ଯ୍ୟକ୍ରମରେ ସମସ୍ତ ୱାର୍ଡର କର୍ପୋରେଟର ଉପସ୍ଥିତ ଥିଲା ବେଳେ ପ୍ରତି ୱାର୍ଡରୁ ସ୍ପୋର୍ଟସ କ୍ଲବର ସଦସ୍ୟଙ୍କ ସମେତ କ୍ରୀଡାପ୍ରେମୀମାନେ ଉପସ୍ଥିତ ଥିଲେ । ନିଷ୍ପତି ମୁତାବକ ଏଲଇଡି ଟିଭି ମାଧ୍ୟମରେ ଉଦଘାଟନୀ ଉତ୍ସବ ଦେଖିବା ପାଇଁ ପ୍ରତି ୱାର୍ଡରେ ସର୍ବନିମ୍ନ ଗୋଟିଏ ଭିୟର୍ସ ପାର୍କ ସୃଷ୍ଟି କରାଯିବା ସହ ସର୍ବାଧିକ ୭୫ଟି ଭିୟର୍ସ ପାର୍କ ପ୍ରସ୍ତୁତ କରାଯିବ । ୱାର୍ଡ ବ୍ୟତୀତ ସହରର ଆଉ ୧୫ଟି ସ୍ଥାନରେ ମେଗା ଏଲଇଡି ସ୍କ୍ରିନ ଜରିଆରେ ଫ୍ୟାନସ୍ ପାର୍କ ପ୍ରସ୍ତୁତ କରାଯିବ । ଗୋଟିଏ ଫ୍ୟାନସ୍ ପାର୍କରେ ସର୍ବନିମ୍ନ ୨ ହଜାର ଲୋକ ବସିଲା ଭଳି ବ୍ୟବସ୍ଥା କରାଯାଇଛି । ଏତଦ୍ ବ୍ୟତୀତ ୭୫୦ ଲୋକ ବସିଲା ଭଳି ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଭିଆଇପି ଓ ଅଫିସିଆଲମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଉଦଘାଟନୀ ଉତ୍ସବରେ ସହରବାସୀ ସାମିଲ ହେଲା ପରେ ୧୬ଟି ଫ୍ୟାନସ୍ ପାର୍କ, ୭୫ଟି ଭିୟର୍ସ ପାର୍କ, ଚଳଚ୍ଚିତ୍ର ପ୍ରେକ୍ଷାଳୟ(ସିନେମା ହଲ) ଏବଂ ଆବଶ୍ୟକସ୍ଥଳେ ନିଜ ଘରେ ସହରବାସୀ ଏହି କାର୍ଯ୍ୟକ୍ରମକୁ ସିଧାସଳଖ ଦେଖିପାରିଲା ଭଳି ବ୍ୟବସ୍ଥା ହୋଇଛି । ଅନୁଷ୍ଠିତ ସଭାରେ ମେୟର ଶ୍ରୀ ସିଂହଙ୍କ ସମେତ ସିଏମସି କମିଶନର ନିଖିଲ ପୱନ କଲ୍ୟାଣ, ଡେପୁଟି କମିଶନର ଶ୍ୱେତପଦ୍ମା ଡି. ଶତପଥୀ, ସଂଜୀବୀତା ରାୟ, ସମସ୍ତ ୱାର୍ଡର କପୋରେଟର, ଜିଲ୍ଲା କ୍ରୀଡା ଅଧିକାରୀ ରଶ୍ମୀରଂଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
