ଲୁଣାସେତୁର ଦୁଇ ପାଶ୍ୱର୍ରେ ବାଲି ଗଦା : ଦୁର୍ଘଟଣା ବଢୁଛି
ସାଲେପୁର : ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ଅସୁରେଶ୍ୱରଠାରେ ଲୁଣାନଦୀ ଉପରେ ହୋଇଥିବା ଲୁଣାସେତୁର ଦୁଇ ପାଶ୍ୱର୍ରେ ପ୍ରବଳମାତ୍ରାରେ ବାଲି ଗଦା ହୋଇ ରହିଛି । ଦିନରାତି ବେଆଇନଭାବେ ଟ୍ରାକ୍ଟର, ହାଇୱା, ଟ୍ରକ ଯୋଗେ ବାଲି ଚାଲାଣ ହେଉଥିବା ବେଳେ ସେଥିରୁ ପଡୁଥିବା ବାଲିଗୁଡିକ ଏଭଳି ଗଦା ହୋଇ ରହିଥିବା ଜଣାଯାଇଛି । ଏହି ବାଲିଗଦା ଯୋଗୁ ପ୍ରତ୍ୟେକ ଦିନ ବାଇକ୍ ଦୁର୍ଘଟଣା ଘଟି ବହୁ ଆରୋହୀ ଖଣ୍ଡିଆ ଖାବରା ହେଉଥିବା ଦେଖାଯାଇଛି । ଏହି ସେତୁର ଓସାର ମାତ୍ର ୯ ଫୁଟ୍ ହୋଇଥିବା ବେଳେ ଉଭୟ ପାଶ୍ୱର୍ରେ ଦୁଇ ଫୁୁଟ୍ ଲେଖାଏଁ ବାଲି ଗଦା ହୋଇ ରହିଥିବାରୁ ୪ ଚକିଆ ଯାନ ଓ ଦୁଇ ଚକିଆ ଯାନ ଯାତାୟାତ ସମୟରେ ପରସ୍ପରକୁ ଅତିକ୍ରମ କରିବା ପାଇଁ କଷ୍ଟକର ହେଉଛି । ଗୋଟିଏ କାର୍କୁ ବାଇକ୍ଟିଏ ଅତିକ୍ରମ କଲା ବେଳେ ବାଲି ଉପରେ ଚକ ଖସିଯିବାରୁ ବିଶେଷଭାବେ ଦୁର୍ଘଟଣା ଘଟୁଛି । ଦୀର୍ଘ ଦିନ ହେବ ଏହି ବାଲି ଗଦା ହୋଇ ରହିଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ପୂର୍ତ ବିଭାଗ ପକ୍ଷରୁ ଏହାକୁ ସଫା କରାଯାଉନାହିଁ । ସେତୁ ଉପରେ ଗଦା ହୋଇଥିବା ବାଲିକୁ ସଫା କରିବା ପାଇଁ ଜନସାଧାରଣ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି ଶୁଣୁନଥିବାରୁ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।
