ରାଇବଣିଆ ଦୁର୍ଗ ଦ୍ୱିତୀୟ ତୋରଣର ଭିତ୍ତିପ୍ରସ୍ତର ସ୍ଥାପନ
ଜଳେଶ୍ୱର : ବିଳମ୍ବରେ ହେଲେ ମଧ୍ୟ ରାଇବଣିଆ ଦୁର୍ଗର ସୁରକ୍ଷା ଲାଗି ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଫଳରେ କେତେକ କାର୍ଯ୍ୟକ୍ରମ ପର୍ଯ୍ୟଟନ ବିଭାଗ ହାତକୁ ନେଇଥିବା ବେଳେ ପ୍ରଥମ ତୋରଣର କାର୍ଯ୍ୟ ଶେଷ ହୋଇଛି । ଦୁର୍ଗର ୪ ଦିଗକୁ ଥିବା ରାସ୍ତାଗୁଡିକରେ ସୁସଜ୍ଜିତ ତୋରଣ ଲାଗି ପର୍ଯ୍ୟାୟକ୍ରମେ ଅର୍ଥର ବ୍ୟବସ୍ଥା ହେଉଛି । ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ରାଇବଣିଆ ଦୁର୍ଗର ରାସ୍ତା ନିର୍ମାଣ, ବିଦ୍ୟୁତିକରଣ, ସୌନ୍ଦଜିକରଣ ଓ ଭିତ୍ତିଭୂମିର ବିକାଶ ଲାଗି ୬ କୋଟି ଟଙ୍କାର ଅନୁମୋଦନ ମିଳିଛି । ଗତ କିଛିମାସ ପୂର୍ବରୁ ଦୁର୍ଗର ପ୍ରଥମ ତୋରଣର କାର୍ଯ୍ୟ ଶେଷ ହୋଇଥିବା ବେଳେ ଅନ୍ୟଏକ ତୋରଣ ନିର୍ମାଣ ଲାଗି ଭାଷା-ସାହିତ୍ୟ-ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ତୋରଣ ନିଆରା ଢଙ୍ଗରେ ନିର୍ମାଣ ହେବାକୁ ଯାଉଥିବା ବେଳେ ଏଥିରେ ୨୫ଲକ୍ଷରୁ ଅଧିକ ବ୍ୟୟ ହେବ ବୋଲି ଅଟକଳ ହୋଇଛି । ଏହି ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା, ଜିଲାପରିଷଦ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ, ଦିଲ୍ଲିପ କୁମାର ସାମଲ, ମଧୁସୂଦନ ସେନାପତି, ଅଜୟ ମହାନ୍ତି, ମନିନ୍ଦ୍ର ଧର ଓ ଅନ୍ୟ କେତେକ ନେତୃସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ । ବିକ୍ଷିପ୍ତଭାବେ ପଡିଥିବା କିତ୍ତିରାଜୀ ପଥର ଖଣ୍ଡକୁ ସଂଗ୍ରହିତ କରିବା, ଅଧାପନ୍ଥରିଆ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିରର କାର୍ଯ୍ୟ ଶେଷ କରିବାକୁ ଦାବି ହୋଇ ଆସୁଛି । ଏକ ପାନ୍ଥ ଶାଳା ଓ ପାର୍କର ନିର୍ମାଣ କରାଯାଇ ପାରିଲେ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ରହିବାର ବ୍ୟବସ୍ଥା ହୋଇ ପାରନ୍ତା ।
