ଅଶୋକ ଦାସଙ୍କ ଶ୍ରାଦ୍ଧ ଦିବସରେ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ
କଟକ : ମଣିଷକୁ ସୁସ୍ଥ, ଦୀର୍ଘାୟୁ ଓ ରୋଗମୁକ୍ତ କରିବା ଲକ୍ଷ୍ୟ ନେଇ ବିଶିଷ୍ଟ ଜନନେତା ତଥା ଜନତା ଦଳର ପୂର୍ବତନ ରାଜ୍ୟ ସଂପାଦକ ଅଶୋକ ଦାସଙ୍କର ୧୪ତମ ଶ୍ରାଦ୍ଧ ଉତ୍ସବରେ ଏକ ରାଜ୍ୟସ୍ତରୀୟ ଆୟୁର୍ବେଦୀୟ ସ୍ୱାସ୍ଥ୍ୟ ଶିବିର ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଯାଜପୁର ଅଂଚଳରେ ଅନୁଷ୍ଠିତ ହୋଇଯାଇଛି । ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡିର ସାଂଗଠନିକ ସଂପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ, ଅଶୋକ ଦାସଙ୍କ ସହଧର୍ମିଣୀ ସଂଯୁକ୍ତା ଦାସ ଏବଂ ଫାଉଣ୍ଡେସନର ବରିଷ୍ଠ କାର୍ଯ୍ୟକର୍ତ୍ତା ଯଯାତି କେଶରୀ ଦାସ, କର୍ଣ୍ଣାଟ କେଶରୀ ଦାସ ଏବଂ ଭବ ପ୍ରକାଶ ଦାସ(ଲଲ) ପ୍ରମୁଖ ଉତ୍ସବରେ ଉପସ୍ଥିତ ରହି ସ୍ୱର୍ଗତ ଦାସ ପାଶ୍ୱର୍ ପ୍ରତକ୍ରିୟାବିହୀନ ଆୟୁର୍ବେଦ ଚିକିତ୍ସାକୁ ଭଲ ପାଇ ନିଜ ହାତରେ ବିଭିନ୍ନ ବୃକ୍ଷଲତାର ଚେର, ପତ୍ର, ଫଳ, ଫୁଲ, ମୂଳ ଏବଂ ସ୍ୱର୍ଣ୍ଣ ଓ ଅଭ୍ର ଭସ୍ମ ପ୍ରଭୃତିକୁ ପ୍ରସ୍ତୁତ କରି ସ୍ୱଳ୍ପ ବ୍ୟୟରେ ଜନସାଧାରଣଙ୍କୁ ରୋଗମୁକ୍ତ କରିବା ପାଇଁ ପ୍ରୟୋଗ କରୁଥିବାରୁ ପ୍ରତ୍ୟେକ ବ୍ୟକ୍ତି ଆୟୁର୍ବେଦ ଚିକିତ୍ସାର ସୁଯୋଗ ନେବା ସହିତ ପରିବେଶ ସୁରକ୍ଷା ଓ ଅମ୍ଲଜାନ ପାଇବା ପାଇଁ ନିଜ ବାଡିବଗିଚାରେ ଔଷଧୀୟ ଗଛ ରୋପଣ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଓଡିଶା ଆୟୁର୍ବେଦ ସେବା ସଂସ୍ଥାର ଅଧ୍ୟକ୍ଷ ତଥା ଡି.ଲିଟ୍ ପ୍ରାପ୍ତ ଆୟୁର୍ବେଦ ଗବେଷକ ଡାକ୍ତର ଦୀନବନ୍ଧୁ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବହୁ ଅଭିଜ୍ଞ ଆୟୁର୍ବେଦ ଚିକିତ୍ସକ ଯୋଗଦେଇ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ମାଗଣାରେ ଆୟୁର୍ବେଦ ଔଷଧ ଓ ସ୍ୱାସ୍ଥ୍ୟ ପୁସ୍ତକ ବିତରଣ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନିକ ଅଧିକାରୀ, ଲୋକ ପ୍ରତିନିଧି, ବହୁ ବରିଷ୍ଠ ନାଗରିକ ଯୋଗଦେଇ ସ୍ୱାସ୍ଥ୍ୟ ସେବାର ସୁଯୋଗ ନେଇଥିଲେ । ଏହି ଅବସରରେ ଆୟୁର୍ବେଦର ପ୍ରଚାର ପ୍ରସାର ଓ ସମାଜସେବା ପାଇଁ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଡାକ୍ତର ମହାରଣାଙ୍କୁ ଉପଢୈାକନ ସହିତ ସମ୍ମାନିତ କରାଯାଇଥିଲା ।
