ଖେଳନା ବନ୍ଧୁକରେ ଭୟ ସୃଷ୍ଟି କରି ରାଜପଥରୁ ଲୁଟ କରୁଥିବା ୭ ଗିରଫ
କଟକ : ଖେଳନା ବନ୍ଧୁକ ଦେଖାଇ ଜାତୀୟ ରାଜପଥରୁ ଲୁଟ କରୁଥିବା ଏକ ଗ୍ୟାଙ୍ଗର ୭ ସଦସ୍ୟଙ୍କୁ ଗିରଫ କରିଛି ସଦର ଥାନା ପୋଲିସ । ଏଥିସହିତ ସେମାନଙ୍କ ନିକଟରୁ ୨୦ଟି ୱାକିଟକି, ୧୩ଟି ମୋବାଇଲ ଫୋନ, ସୁନା ଗହଣା, ବଲେନୋ କାର୍, ୩ଟି ବାଇକ, ନଗଦ ଟଙ୍କା, ଲୁହା ରଡ୍, ଖେଳଣା ବନ୍ଧୁକ, ସହିତ ଜାଲ ଆଧାର ଓ ପାନ କାର୍ଡ ଜବତ କରାଯାଇଛି । ଗତକାଲି ଗ୍ୟାଙ୍ଗର ମୁଖ୍ୟ ସଦର ଥାନା ଅନ୍ତର୍ଗତ ଶ୍ରୀକୋରୁଆଁର ମଦନ ବେହେରାକୁ ଗିରଫ କରିଥିଲା ବେଳେ ଆଜି ଆଉ ୬ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ସଦର ଥାନା ପୋଲିସ । ଏହି ଗ୍ୟାଙ୍ଗରେ ଜଣେ ନାବାଳିକା ମଧ୍ୟ ରହିଥିବା ଜଣାଯାଇଛି । ମଦନ ବେହେରା ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଥିଲା ବେଳେ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ବିରୋଧରେ ମଧ୍ୟ ବିଭିନ୍ନ ଥାନାରେ ପୂର୍ବରୁ ମାମଲା ରହିଛି । ଏହି ଗ୍ୟାଙ୍ଗ ଖେଳନା ବନ୍ଧୁକ ଦ୍ୱାରା ଭୟ ସୃଷ୍ଟି କରି ରାଜପଥରୁ ଲୁଟ କରୁଥିଲେ । ବିଶେଷକରି ନିଛାଟିଆ ସ୍ଥାନରେ ଏହି ଡକାୟତ ଗ୍ୟାଙ୍ଗ୍ ସକ୍ରିୟ ହେଉଥିଲେ । ତେବେ ମଙ୍ଗଳବାର ରାତିରେ ଏହି ଗ୍ୟାଙ୍ଗର ମୁଖ୍ୟ ମଦନ ସହିତ ଅନ୍ୟ ଜଣକୁ ଗିରଫ କରାଯାଇଥିବା ବେଳେ ଆଜି ଅନ୍ୟମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।
