ବେଆଇନ୍ ଉଚ୍ଛେଦ ବନ୍ଦ ଦାବି! ୧୨ରେ ବାଲେଶ୍ୱର ପୌର କାର୍ଯ୍ୟାଳୟ ଘେରିବେ ଉଠାଦୋକାନୀ
ବାଲେଶ୍ୱର : ବାଲେଶ୍ୱର ସହରରେ ଜିଲାର ଲକ୍ଷଲକ୍ଷ ଲୋକଙ୍କୁ ଶସ୍ତା ଦାମରେ ସମସ୍ତ ସାମଗ୍ରୀ ଯୋଗାଣର ସେବା ଯୋଗାଉଥିବା ପଥବିକ୍ରେତାଙ୍କୁ ଜିଲା ପ୍ରଶାସନ ମଧ୍ୟଯୁଗୀୟ ମାନସିକତା ନେଇ କେନ୍ଦ୍ରୀୟ ଆଇନ ‘ପଥବିକ୍ରେତା ଜୀବିକା ସୁରକ୍ଷା ଓ ପଥ ବିକ୍ରୟ ବିନିୟମ ଆଇନ-୨୦୧୪’ର ଅବମାନନା କରି ଗତ ଡିସେମ୍ବର ମାସରେ ଓଟି ରୋଡ୍, ନୂଆବର୍ଷ ପୂର୍ବରୁ କଲେଜ୍ ରୋଡ୍ ଓ ବର୍ତ୍ତମାନ ବିବେକାନନ୍ଦ ମାର୍ଗରୁ ଶତାଧିକ ଉଠାଦୋକାନୀଙ୍କୁ ଉଚ୍ଛେଦ କରି ସହରର ହଜାର ହଜାର ଆତ୍ମନିର୍ଭରଶୀଳ ସାମଗ୍ରୀ ଯୋଗାଣ ସେବକଙ୍କ ଜୀବିକା ବିପନ୍ନ କଲେଣି ।
ଉଠାଦୋକାନୀ ବା ପଥ ବିକ୍ରେତା କେଉଁଠି ତାଙ୍କ ଦୋକାନ କରିବେ ବା କେଉଁଠି ନ କରିବେ, ତା’ର ଚୁଡ଼ାନ୍ତ ନିଷ୍ପତ୍ତି ଦାୟିତ୍ୱ ଟାଉନ୍ ଭେଣ୍ଡିଙ୍ଗ୍ କମିଟି ଉପରେ ନ୍ୟସ୍ତ ହୋଇଥିବାବେଳେ ନିଜେ ଟାଉନ୍ ଭେଣ୍ଡିଙ୍ଗ୍ କମିଟିର ଅଧ୍ୟକ୍ଷ ତଥା ବାଲେଶ୍ୱର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଲା ପ୍ରଶାସନ ଧ୍ୱଂସଲୀଳା ଚଳାଇ ଚାଲିଛନ୍ତି । ଏଣୁ ଅବିଳମ୍ବେ ଟାଉନ୍ ଭେଣ୍ଡିଙ୍ଗ୍ କମିଟି ବୈଠକ ଡକାଇ ଭେଣ୍ଡିଙ୍ଗ୍ ଜୋନ୍, ରେଷ୍ଟ୍ରିକ୍ଟେଡ୍ ଭେଣ୍ଡିଙ୍ଗ୍ ଜୋନ୍ ଓ ନୋ ଭେଣ୍ଡିଙ୍ଗ୍ ଜୋନ୍ ସମ୍ପର୍କରେ ଆଲୋଚନା ପୂର୍ବରୁ ସମସ୍ତ ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରନ୍ତୁ । ନଚେତ୍ ଆସନ୍ତା ୧୨ ତାରିଖ ସକାଳ ୭ଟାରୁ ସହରର ସମସ୍ତ ଉଠା ଦୋକାନ ବନ୍ଦ ରଖି ୯ଟାରେ ଗାନ୍ଧୀ ସ୍ମୃତି ଭବନ ଠାରୁ ଶୋଭାଯାତ୍ରା ବାହାରି ପୌର କାର୍ଯ୍ୟାଳୟ ଘେରାଉ ହେବ ବୋଲି ବାଲେଶ୍ୱର ପଥ ବିକ୍ରେତା ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଖବରଦାତା ସମ୍ମିଳନୀରେ ଶତାଧିକ ଉଠାଦୋକାନୀଙ୍କ ସହ ଉପ-ସଭାପତି ଆବିଦ୍ ଖାନ୍, ସମ୍ପାଦକ ମୋହିନୀ ମୋହନ ପରିଡ଼ା ଉପସ୍ଥିତ ରହି ଜିଲା ପ୍ରଶାସନ ଓ ପୌର ପ୍ରଶାସନକୁ ଉଚ୍ଛେଦ ବନ୍ଦ ପାଇଁ ଅବଗତ କରିଛନ୍ତି ।
