ଫେବୃଆରୀ ୭ରୁ ୧୧ତମ ବାର୍ଷିକ ରୂପସା ମହୋତ୍ସବ
ରୂପସା : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ପୋଡ଼ାଡ଼ିହା ଛକ ନିକଟ ପଡ଼ିଆରେ ଚଳିତବର୍ଷ ୧୧ତମ ବାର୍ଷିକ ରୂପସା ମହୋତ୍ସବ ଅନୁଷ୍ଠିତ ହେବ । ଆସନ୍ତା ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖରେ ମହୋତ୍ସବ ସମାପ୍ତ ହେବ । ଏଥିପାଇଁ ରୂପସା ମହୋତ୍ସବ କମିଟି ଆନୁକୂଲ୍ୟରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କମିଟି ସଭାପତି ଅଧ୍ୟାପକ ରବୀନ୍ଦ୍ର କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ ।
ମୁଖ୍ୟ ଉପଦେଷ୍ଟା ଜଗଦୀଶ ଚନ୍ଦ୍ର ପଟ୍ଟନାୟକ, ଉପଦେଷ୍ଟା ପ୍ରାକ୍ତନ ବିଇଓ ଜୟନ୍ତ କୁମାର ପାଣିଗ୍ରାହୀ, ସୁଧାକର ଗିରି, ନିରଞ୍ଜନ ପଣ୍ଡା ଶର୍ମା, ବାଞ୍ଛାନିଧି ଦେ, ଉପ-ସଭାପତି ବିଜୟ କୁମାର ବେହେରା, ସମ୍ପାଦକ ଚନ୍ଦନ କୁମାର ଜେନା, କୋଷାଧ୍ୟକ୍ଷ ଦୀପକ ସାମଲ, କାର୍ଯ୍ୟକ୍ରମ ସଂଯୋଜକ ଚିତ୍ତରଞ୍ଜନ ଦଳାଇ ପ୍ରମୁଖ ଯୋଗଦେଇ ମହୋତ୍ସବର ସୁପରିଚାଳନା ଓ ରୂପରେଖ ପ୍ରସ୍ତୁତ କରିଥିଲେ । ୬ ଦିନ ବ୍ୟାପୀ ଏହି ମହୋତ୍ସବ ସନ୍ଧ୍ୟାରେ ସ୍ୱଳ୍ପ ସମୟ ସଭା ପରେ ଭଜନ, ମେଲୋଡ଼ି, ନୃତ୍ୟଗୀତ ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ମୀନାବଜାର, ଚକ୍ରୀ, ଦୋଳି ସାଙ୍ଗକୁ ବିଭିନ୍ନ ଆକର୍ଷଣୀୟ ଷ୍ଟଲ ଦର୍ଶକଙ୍କ ମନ ମୋହିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ବୈଠକରେ ଉପଦେଷ୍ଟା ଜୀତେନ୍ଦ୍ର ପ୍ରଧାନ, ଗୋପୀନାଥ ମହାପାତ୍ର, ବିନୟ କୁମାର ବେହେରା ପ୍ରମୁଖଙ୍କ ସମେତ କମିଟି ସଦସ୍ୟ ଉପସ୍ଥିତ ଥିଲେ ।
