ନୂଆବର୍ଷରେ ଅଘଟଣ, କାରଖାନାରେ ନିଆଁ ଲାଗି ୯ ଜୀବନ୍ତ ଦଗ୍ଧ
ନୂଆଦିଲ୍ଲୀ : ନୂଆବର୍ଷର ପ୍ରଥମ ଦିନରେ ଘଟିଯାଇଛି ଏକ ଅଘଟଣ। ମହାରାଷ୍ଟ୍ରର ନାସିକ ଜିଲ୍ଲାରେ କାରାଖାନାରେ ନିଆଁ ଲାଗିଯିବାରୁ ଜଳି ଯାଇଛନ୍ତି ୯ ଲୋକ। ନାସିକ୍-ମୁମ୍ବାଇ ରାଜପଥରେ ଅବସ୍ଥିତ ଗୋଣ୍ଡେ ଗ୍ରାମରେ ଅବସ୍ଥିତ ଜିନ୍ଦଲ କମ୍ପାନୀ ପରିସରରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା ଯେଉଁ କାରଣରୁ ୯ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ଏହି ଦୁର୍ଘଟଣା ଦିନ ପ୍ରାୟ ଏଗାରଟା ସମୟରେ ଘଟିଥିବା ଜଣାପଡ଼ିଛି।
ଏହି କାରଖାନାର ବଏଲର ବିସ୍ଫୋରଣ ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଚର୍ଚ୍ଚା ହେଉଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହାର ଶବ୍ଦ ପ୍ରାୟ ୨୦-୨୫ ଗ୍ରାମରେ ଶୁଣିବାକୁ ମିଳିଥିଲା। ଜିନ୍ଦଲ କମ୍ପାନୀ ଏକ ବନ୍ଦ ଅଞ୍ଚଳରେ ରହିଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏ ଘଟଣା ସମ୍ପୂର୍ଣ୍ଣ ଖବର ମିଳିନାହିଁ। କାରଖାନାରେ ହୋଇଥିବା ବିସ୍ଫୋରଣ ଘଟଣାର ଅନୁସନ୍ଧାନ କରାଯାଉଛି। ନିଆଁରେ ପୋଡିଯାଇଥିବା ଲୋକଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଛି।
ଜିଲ୍ଲାରେ ହୋଇଥିବା ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ଖବର ପାଇବାରେ ଜିଲ୍ଲାପାଳ ଗଙ୍ଗାଧରନ୍ ଡି ଏବଂ ପୋଲିସ୍ ଏସପି ଶାହାଜୀ ଉମାପଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନାସିକ ନଗର ନିମଗ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ନିଆଁ ଭୟାନକ ଭାବେ ବ୍ୟାପିଛି। କାରଖାନାରେ ରହିଥିବା କଞ୍ଚାମାଲର ପ୍ରକାର ହେତୁ ନିଆଁ ଅଧିକ ଦ୍ରୁତ ଗତିରେ ବ୍ୟାପିଥାଏ। ଏହି କାରଣରୁ ନିଆଁକୁ ଆୟତ୍ତ କରିବା ପାଇଁ ଅଧିକ ସମୟ ଲାଗିବ। ଅଗ୍ନିକାଣ୍ଡର କାରଣ କ’ଣ, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ।
ଅଧିକାରୀଙ୍କ କହିବା କଥା ଯେ ମୁଢେଗାଓଁ ନିକଟସ୍ଥ ଇଗାତପୁରୀ ଠାର ରହିଛି ଜିନ୍ଦଲ କମ୍ପାନୀ। ହଠାତ୍ ସକାଳେ କାରଖାନା ପରିସରରେ ଏକ ଧରଣର ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା। କମ୍ପାନୀ କର୍ମଚାରୀ କିଛି ବୁଝିବା ବେଳକୁ ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥିଲା। ଅଗ୍ନିକାଣ୍ଡ କାରଣରୁ ଅନେକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏପରିକି ଏହି କାରଖାନାର ଅବସ୍ଥା ଗୁରୁତର ହୋଇପଡ଼ିଛି। ନିଆଁ କାରଣରୁ କାରଖାନା ପରିସରରେ ବାରମ୍ବାର ବିସ୍ଫୋରଣ ହେଉଛି।
