ଗୋପାଳପୁର ଟ୍ରାଫିକ ଛକରୁ ୯୨ କେଜି ଗଞ୍ଜେଇ ଜବତ, ୩ ଗିରଫ
କଟକ : ସୋମବାର ସକାଳେ ରାଜ୍ୟ ଅବକାରୀ ଗୁଇନ୍ଦା ବିଭାଗର କର୍ମଚାରୀମାନେ ଗୋପାଳପୁର ଛକଠାରେ ଜଗିରହି କୋରାପୁଟରୁ ଉତ୍ତରପ୍ରଦେଶକୁ ଏକ କାର ଯୋଗେ ଚାଲାଣ କରାଯାଉଥିବା ୧୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରିବା ସହିତ ଏହି କାରବାରରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ଉତ୍ତରପ୍ରଦେଶର ସମୀର ଅହମ୍ମଦ, ମନୋଜ ମୈାର୍ଯ୍ୟ ଓ ଗୋଲୁ ଆକବର । ଏହି ୩ ଅଭିଯୁକ୍ତ ସିଜି-୦୪-ସିୟୁ-୧୮୯୯ ନମ୍ବରର ଏକ କାରରେ କୋରାପୁଟରୁ ଚାରୋଟି ବସ୍ତାରେ ୯୨ କେଜି ଓଜନର ଗଞ୍ଜେଇ ନେଇ ଉତ୍ତରପ୍ରଦେଶ ଅଭିମୁଖେ ଯାଉଥିବାର ଏକ ଗୁପ୍ତ ସୂଚନାକୁ ଭିତ୍ତି କରି ଅବକାରୀ ଆୟୁକ୍ତ ଆଶିଷ ସିଂହଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନେତୃ୍ତ୍ୱରେ ଉପ ଅଧୀକ୍ଷକ ପ୍ରତାପ କୁମାର ଦାସ, ଇନ୍ସପେକ୍ଟର ସତ୍ୟଜିତ ଖଟୁଆ, ଏସଆଇ ହୀରା ଦଳପତି, ଏଏସଆଇ ଶରତ କୁମାର ଦାସ, କିଶୋର ରାଉତଙ୍କ ସମେତ ଆଲୋକ ଖଟୁଆ, ଥବିର, ରାମ ପ୍ରମୁଖ ଗୋପାଳପୁର ଛକରୁ ଏହି ପରିମାଣର ଗଞ୍ଜେଇ ସହ କାର ଓ ୩ ଜଣଙ୍କୁ ଗିରଫ କରିଥିଲେ । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
