୯ରୁ କୋରିଆର ୧୦୮ ବୌଦ୍ଧ ତୀର୍ଥଯାତ୍ରୀଙ୍କ ପଦଯାତ୍ରା
ନୂଆଦିଲ୍ଲୀ : ଆସନ୍ତା ଫେବୃଆରୀ ୯ ତାରିଖରୁ ଆରମ୍ଭ ହେବ କୋରିଆର ୧୦୮ ବୌଦ୍ଧ ତୀର୍ଥଯାତ୍ରୀଙ୍କ ପଦଯାତ୍ରା । ଦକ୍ଷିଣକୋରିଆର ସାଙ୍ଗୱଲ୍ ସୋସାଇଟି ଦ୍ୱାରା ଆୟୋଜିତ ପଦଯାତ୍ରାର ଅଂଶ ବିଶେଷ ଭାବରେ ୪୩ ଦିନରେ ୧,୧୦୦ କିଲୋମିଟରରୁ ଅଧିକ ବାଟ ଯାତ୍ରା କରିବେ କୋରିଆ ଗଣରାଜ୍ୟର ବୌଦ୍ଧ ତୀର୍ଥଯାତ୍ରୀ । ଏନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ବିଭାଗର ସଚିବ ଅପୂର୍ବଚନ୍ଦ୍ର ଘୋଷଣା କରିଛନ୍ତି ।
ଶ୍ରୀ ଚନ୍ଦ୍ର କହିଛନ୍ତି ଯେ, ଭାରତ ଓ ଦକ୍ଷିଣକୋରିଆ ମଧ୍ୟରେ ରାଜନୈତିକ ସମ୍ବନ୍ଧ ସ୍ଥାପନର ୫୦ ବର୍ଷ ପୂରଣ ହେବାର ଉତ୍ସବ ପାଳନ ହେଉଥିବା ବେଳେ ତୀର୍ଥଯାତ୍ରା ଦ୍ବାରା ଉଭୟ ଦେଶ ମଧ୍ୟରେ ମିତ୍ରତା ଏବଂ ସହଯୋଗକୁ ବୃଦ୍ଧି ପାଇପାରିବ। ଏହି ପର୍ଯ୍ୟଟକମାନେ ଭାରତର ଉତ୍ତରପ୍ରଦେଶ ଏବଂ ବିହାରସ୍ଥିତ ବୌଦ୍ଧ ତୀର୍ଥସ୍ଥଳୀଗୁଡିକ ପରିଦର୍ଶନ କରିବେ ଏବଂ ଏହାପରେ ନେପାଳ ଗସ୍ତ କରିବେ। ସେହିପରି ଏହା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଥିଲା, ଯେପରି ଭାରତର ବୌଦ୍ଧ ପର୍ଯ୍ୟଟନ ସର୍କିଟ୍କୁ ସମଗ୍ର ବିଶ୍ୱ ସମ୍ମୁଖକୁ ଅଣାଯିବ। ସର୍କିଟ୍ ପର୍ଯ୍ୟଟକମାନଙ୍କୁ ଭଗବାନ ବୁଦ୍ଧଙ୍କ ଶିକ୍ଷା ସମ୍ପର୍କରେ ଅନୁଭବ କରାଇବା ନିମନ୍ତେ ସହାୟତା କରିଥାଏ ଏବଂ ବୁଦ୍ଧଙ୍କ ଜୀବନକାଳର ଅନେକ ପଦଚିହ୍ନ ସମ୍ପର୍କରେ ଜଣାଇଥାଏ। ତୀର୍ଥଯାତ୍ରା ସମୟରେ ପରିସରଭୁକ୍ତ ହୋଇଥିବା ସ୍ଥଳୀଗୁଡିକରେ ବୁଦ୍ଧଙ୍କ ଜନ୍ମରୁ ଆରମ୍ଭ କରି ତାଙ୍କର ପରିନିର୍ବାଣ ପର୍ଯ୍ୟନ୍ତ ଜୀବନକାଳ ସାମିଲ୍ ରହିଛି। ସଚିବ ତୀର୍ଥଯାତ୍ରୀ ମାନଙ୍କୁ ସ୍ୱାଗତ କରିଛନ୍ତି, ଏବଂ ଭାରତ ସରକାରଙ୍କ ତରଫରୁ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ପର୍ଯ୍ୟଟକ ମାନେ ୯ ଫେବୃଆରୀରୁ ୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଭାରତ ଓ ନେପାଳରେ ବୌଦ୍ଧସ୍ଥଳୀଗୁଡିକ ୪୩ ଦିନରେ ପରିଦର୍ଶନ କରିବେ।
ଭାରତରେ କୋରିଆ ରାଷ୍ଟ୍ରଦୂତ ଚାଙ୍ଗ ଜେ-ବୋକ୍ କହିଛନ୍ତି ଯେ, ୨୦୨୩ ବର୍ଷଟି ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ନିମନ୍ତେ ମହତ୍ତ୍ବପୂର୍ଣ୍ଣ, କାରଣ ଦୁଇ ଦେଶ ମଧ୍ୟରେ ରାଜନୈତିକ ସମ୍ବନ୍ଧର ୫୦ ବର୍ଷ ପୂର୍ତ୍ତି ହେଉଛି। ଏହି ସମୟରେ ଭାରତର ଜି୨୦ର ଅଧ୍ୟକ୍ଷତା କରୁଛି ଏବଂ ଦକ୍ଷିଣକୋରିଆ ଜି୨୦ରେ ଭାରତର ସଫଳତା ନିମନ୍ତେ ପ୍ରତିବଦ୍ଧ।
