‘ମନ୍ କି ବାତ୍’ର ୮୭ତମ ସଂସ୍କରଣ! ବିଶ୍ୱ ବଜାରରେ ବଢ଼ିଛି ଭାରତୀୟ ସାମଗ୍ରୀର ଚାହିଦା : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଗତ ସପ୍ତାହରେ ଭାରତ ୩୦ ଲକ୍ଷ କୋଟି ଟଙ୍କାର ରପ୍ତାନି ଲକ୍ଷ୍ୟ ହାସଲ କରିଛି । ଏହା ଭାରତର ସାମର୍ଥ୍ୟକୁ ପ୍ରତିପାଦନ କରୁଛି ବୋଲି ରବିବାର ‘ମନ୍ କି ବାତ୍’ର ୮୭ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।
ନିଜର ମାସିକ କାର୍ଯ୍ୟକ୍ରମ ମନ୍ କି ବାତରେ ମୋଦୀ କହିଛନ୍ତି ଯେ, ଭାରତୀୟ ଉତ୍ପାଦ ଏବେ ବିଶ୍ୱର ବିଭିନ୍ନ ଦେଶରେ ପହଂଚୁଛି । କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ସଫଳତା ଗୌରବର ବିଷୟ । ସମୟ ଥିଲା ଭାରତର ରପ୍ତାନି ୧୦୦ ବିଲିୟନ୍ , ବେଳେ ବେଳେ ୧୫୦ ବିଲିୟନ୍ , ବେଳେ ବେଳେ ୨୦୦ ବିଲିୟନ୍ ଡଲାର୍ ହେଉଥିଲା । ଏବେ ଭାରତର ରପ୍ତାନି ୪୦୦ ବିଲିୟନ୍ ଡଲାର୍ ରେ ପହଂଚିଛି । ଅର୍ଥନୈତିକ ଅଗ୍ରଗତି କ୍ଷେତ୍ରରେ ଭାରତ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛି । ନୂଆ ନୂଆ ବଜାରକୁ ଆମର ଉତ୍ପାଦ ରପ୍ତାନି କରିବା ଆବଶ୍ୟକ । ଦେଶର ବିଭିନ୍ନ ପ୍ରାନ୍ତରୁ ନୂଆ ଉତ୍ପାଦ ସବୁ ବିଦେଶରେ ପହଂଚୁଛି । ଆସାମର ହୈଲାକାଣ୍ଡିର ଚମଡ଼ା ଉତ୍ପାଦ ଅଥବା ଓସ୍ ମାନାବାଦର ହସ୍ତତନ୍ତ ଉତ୍ପାଦ, ବିଜାପୁରର ଫଳ ଓ ପନିପରିବା କିଂବା ଚନ୍ଦୌଲିର କଳାଚାଉଳ, ଲଦାଖର ଅଖରୋଟ୍, ତାମିଲନାଡୁର କଦଳୀ, ହିମାଚଳର ବାଜରା ଆଦିର ରପ୍ତାନି ବୃଦ୍ଧି ପାଉଛି ।
ପ୍ରଧାନମନ୍ତ୍ରୀ କୃଷକ ଏବଂ ଯୁବ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ପ୍ରଶଂସା କରି କହିଛନ୍ତି, ଆମ କୃଷକ, ଉତ୍ପାଦନକରୀ ଏବଂ ଶିଳ୍ପର ସାମର୍ଥ୍ୟ ଏବଂ କଠିନ ପରିଶ୍ରମ ଯୋଗୁଁ ‘ମେକ୍ ଇନ୍ ଇଣ୍ଡିଆ’ ଉତ୍ପାଦ ତାଲିକା ବିଶାଳକାୟ ହୋଇପାରିଛି । ପୂର୍ବରୁ ମନେ ହେଉଥିଲା କେବଳ ବଡ଼ ଲୋକମାନେ ସେମାନଙ୍କ ଉତ୍ପାଦ ସରକାରଙ୍କୁ ବିକ୍ରୟ କରିପାରିବେ । ପ୍ରତ୍ୟେକ ଭାରତୀୟ ‘ଭୋକାଲ୍ ଫର୍ ଲୋକାଲ୍’ ପାଇଁ ଲାଗିଲେ ‘ଲୋକାଲ୍’ ‘ଗ୍ଲୋବାଲ୍ ’ ହେବାରେ ବିଳମ୍ବ ହେବନାହିଁ । ‘ଲୋକାଲ୍ ’କୁ ‘ଗ୍ଲୋବାଲ୍ ’ରେ ପରିଣତ କରି ଆମ ଉତ୍ପାଦର ମାନ ଆହୁରି ବୃଦ୍ଧି କରନ୍ତୁ । ୬ ବର୍ଷ ତଳେ ଆୟୁର୍ବେଦୀୟ ଔଷଧର ବଜାର ୨୨,୦୦୦ କୋଟି ଥିଲା । କିନ୍ତୁ, ରବିବାର ‘ଆୟୁଷ ମ୍ୟାନୁଫ୍ୟାକଚରିଙ୍ଗ୍ ଇଣ୍ଡଷ୍ଟ୍ରି’ ୧.୪୦ କୋଟି ଟଙ୍କାରେ ପହଂଚିଲାଣି ।
ନିକଟରେ ପଦ୍ମ ସମ୍ମାନ ପ୍ରଦାନ ଉତ୍ସବରେ ୧୨୬ ବର୍ଷିୟ ବାବା ଶିବାନନ୍ଦଙ୍କ ଶୌର୍ଯ୍ୟ ଏବଂ ସ୍ୱାସ୍ଥ୍ୟ ଦେଖି ସମସ୍ତେ ଆଚମ୍ବିତ ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟ ଦେଶରେ ଆଲୋଚ୍ୟ ବିଷୟ ପାଲଟିଛି । ତାଙ୍କର ଯୋଗ ପ୍ରତି ବିଶେଷ ଅନୁରାଗ ରହିଛି । ଜଳ ସଂରକ୍ଷଣ ପାଇଁ ଆମେ ଉଦ୍ୟମ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ବ୍ୟବହୃତ ଜଳ ଗଛବୃଚ୍ଛ ଏବଂ ଅନ୍ୟାନ୍ୟ ବଗିଚା କାର୍ଯ୍ୟରେ ବ୍ୟବହାର କରିବା ଉପରେ ଆମେ ଧ୍ୟାନ ଦେବା ଉଚିତ । ଚାଲନ୍ତୁ, ‘ଜଳ ଯୋଦ୍ଧା’ ହେବାକୁ ପଣ କରିବା ଏବଂ ଜଳ ସଂରକ୍ଷଣକୁ ଆମ ଜୀବନର ‘ମିସନ୍’ରେ ପରିଣତ କରିବା । ପିଲାମାନେ ‘ସ୍ୱଚ୍ଛ ଭାତର ଅଭିଯାନ’କୁ ସଫଳ କରିଛନ୍ତି । ଏବେ ସେମାନେ ଜଳସଂରକ୍ଷଣ କରିବା ନିମନ୍ତେ ‘ଜଳ ଯାଦ୍ଧା’ ହେବାକୁ ଆଗେଇ ଆସିବା ଉଚିତ । ଏପ୍ରିଲ୍ ମାସରେ ଆମେ ଦୁଇଜଣ ବିଖ୍ୟାତ ବ୍ୟକ୍ତିତ୍ୱଙ୍କର ଜୟନ୍ତୀ ପାଳିବା । ଉଭୟ ଭାରତୀୟ ସମାଜକୁ ଗଭୀର ଭାବେ ପ୍ରଭାବିତ କରିଛନ୍ତି । ସେମାନେ ହେଉଛନ୍ତି ମହାତ୍ମା ଫୁଲେ ଏବଂ ବାବାସାହେବ ଆମ୍ବେଦକର । ପ୍ରଧାନମନ୍ତ୍ରୀ ମୋଦୀ ସାବିତ୍ରୀବାଈ ଫୁଲେଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ମଧ୍ୟ ଜ୍ଞାପନ କରିଛନ୍ତି । ଶେଷରେ ପ୍ରଧାନମନ୍ତ୍ରୀ କହିଲେ, ଅନେକ ସଂସ୍କୃତି, ଭାଷା ଏବଂ ଆହାରରେ ଭାରତ ଗୌରବାନ୍ୱିତ । ବିବିଧତା ହିଁ ଆମକୁ ଏକତ୍ର କରିଛି ।
