ଜିଲ୍ଲାସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ୨୬ଟି ବାଳକ ଟିମ୍ ଓ ୨୧ଟି ବାଳିକା ଟିମରେ ୮୪୬ କ୍ରୀଡାବିତଙ୍କ ଯୋଗଦାନ
ବାରିପଦା : ବାରିପଦା ଷ୍ଟାଡିୟମ ଠାରେ ମୟୁରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ମୟୁରଭଞ୍ଜ ଏଥେଲେଟିକ ଆସୋସିଏସନର ମିଳିତ ସହଯୋଗରେ ଅକ୍ଟୋବର ୧୧ ରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ୧୭ ବର୍ଷରୁ କମ ବର୍ଗର ବାଳକ ବାଳିକା ମାନଙ୍କର ଜିଲ୍ଲା ସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୨ ଆଜି ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଯୋଗଦେଇ ଉଦଘାଟନ କରିବାସହ କ୍ରୀଡାବିତ ମାନେ ଉତମ ଖେଳାଳୀ ରୂପେ ନିଜକୁ ଗଢି ତୋଳି ରାଜ୍ୟ ତଥା ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବା ପାଇଁ ଉତ୍ସାହିତ କରିଥିଲେ । ମୁଖ୍ୟ ବକ୍ତା ଭାବେ ମୟୁରଭଞ୍ଜ ଏସ.ପି. ଋଷିକେଶ ଦ୍ୟାନଦେଓ ଖିଲାରୀ, ସମ୍ମାନୀତ ଅତିଥି ରୂପେ ବାରିପଦା ଉପ-ଜିଲ୍ଲାପାଳ ଅନ୍ୟା ଦାସ, ଯୋଗଦେଇ ମୟୁରଭଞ୍ଜ ଫୁଟବଲର ଗୌରବମୟ ଇତିହାସକୁ ଫେରାଇ ଆଣିବାପାଇଁ ଆହ୍ୱାନ ଦେଇଥିଲେ । ମୟୁରଭଞ୍ଜ ଜିଲ୍ଲା ଶିକ୍ଷାଧିକାରୀ ନବ କିଶୋର ଗିରିଙ୍କ ସଭାପତିତ୍ୱରେ ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ନିତ୍ୟାନନ୍ଦ ବାରିକ ଓ ପ୍ରଶାନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ମୟୁରଭଞ୍ଜ ଜିଲ୍ଲା ଶାରିରୀକ ଶିକ୍ଷା ନୀରିକ୍ଷକ ଭାଗିରଥି ମଲ୍ଲିକ ପ୍ରତିଯୋଗୀତାର ନୀୟମାବଳୀ ଉଲ୍ଲେଖ କରିଥିବା ବେଳେ, ଅତିଥି ମାନଙ୍କ ଦ୍ୱାରା ଫୁଟବଲ ଫର ଅଲ ଅବସରରେ ଆଜି ବାରିପଦା ବ୍ଲକର ୧୦ଟି ବିଦ୍ୟାଳୟକୁ ୪ଟି ଲେଖାଏଁ ଫୁଟବଲ ପ୍ରଦାନ କରାଯାଇଛି ଏବଂ ପର୍ଯ୍ୟାୟ କ୍ରମେ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଫୁଟବଲ ବଂଟନ କରାଯିବ ବୋଲି ଜଣାଯାଇଛି । ଏମ.ପି.କେ. ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଓ ଏମ.କେ.ସି. ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ ହୋଇଥିବା ବେଳେ, ଶିକ୍ଷକ ସୋମନାଥ ସିଂ ମଞ୍ଚ ପରିଚାଳନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଟୁର୍ଣ୍ଣାମେଂଟରେ ଜିଲ୍ଲାର ସମସ୍ତ ବ୍ଲକରୁ ୨୬ଟି ବାଳକ ଟିମ ଓ ୨୧ଟି ବାଳିକା ଟିମରେ ୮୪୬ କ୍ରୀଡାବିତଙ୍କ ସହ ବିଭିନ୍ନ ବିଭାଗର ଅଫିସିଆଲ ଏବଂ ଟିମେନେଜର ମାନେ ଯୋଗ ଦେଇଛନ୍ତି ।
