୯ ଦିନରେ ୮ଥର ! ଆଜି ପେଟ୍ରୋଲ ଓ ଡିଜେଲ ଲିଟର୍ ପିଛା ୮୦ ପଇସା ବୃଦ୍ଧି
ନୂଆଦିଲ୍ଲୀ : ବେଲଗାମ ତେଲଦର । ଲଗାତର ଭାବେ ବଢିଚାଲିଛି ଦର । ଲଗାତାର ୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ବୁଧବାର ମଧ୍ୟ ସମଗ୍ର ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଲିଟର୍ପିଛା ୮୦ ପଇସା ବୃଦ୍ଧି ପାଇଛି। ଗତ ୯ ଦିନ ମଧ୍ୟରେ ଏହା ହେଉଛି ୮ମ ବୃଦ୍ଧି।
ବୁଧବାର ସକାଳ ୬ଟା ବେଳଠାରୁ ଦିଲ୍ଲୀରେ ଆଜି ପେଟ୍ରୋଲ୍ ଲିଟର୍ପିଛା ଟ. ୧୦୧.୦୧ ଏବଂ ଡିଜେଲ୍ ଲିଟର୍ପିଛା ଟ. ୯୨.୨୭ରେ ବିକ୍ରୟ ହେଉଛି। ମୁମ୍ବାଇରେ ପେଟ୍ରୋଲ୍ ଲିଟର୍ପିଛା ୮୪ ପଇସା ବୃଦ୍ଧି ପାଇ ଟ. ୧୧୫.୮୮ ଏବଂ ଡିଜେଲ୍ ଲିଟର୍ପିଛା ୮୫ ପଇସା ବୃଦ୍ଧି ପାଇ ଟ. ୧୦୦.୧୦ରେ ବିକ୍ରୟ ହେଉଛି। ସାଢ଼େ ୪ ମାସ ଅପରିବର୍ତ୍ତିତ ରହିବାପରେ ମାର୍ଚ ୨୨ ଠାରୁ ଇନ୍ଧନ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି ହେଉଛି ଇନ୍ଧନ ଦରର ୮ମ ବୃଦ୍ଧି। ସେହି ହିସାବରେ ମୋଟାମୋଟି ପେଟ୍ରୋଲ୍ ଓ ଡିଜେଲ୍ ଦର ଟ. ୫.୬୦ ବୃଦ୍ଧି ପାଇଲାଣି। ପ୍ରଥମ ୪ଥରରେ ପେଟ୍ରୋଲ୍ ଏବଂ ଡିଜେଲ୍ ଦର ୮୦ ପଇସା ବୃଦ୍ଧି ପାଇଥିଲା। ତା’ପରେ ପେଟ୍ରୋଲ୍ ୫୦ ପଇସା ଓ ଡିଜେଲ୍ ୩୦ ପଇସା ବୃଦ୍ଧି ପାଇଥିଲା। ପରବର୍ତ୍ତି ସମୟରେ ଡିଜେଲ୍ ୫୫ ପଇସା ଏବଂ ପେଟ୍ରୋଲ୍ ୩୫ ପଇସା ବୃଦ୍ଧି ହେଲା। ପରେ ମଙ୍ଗଳବାର ଦିନ ପେଟ୍ରୋଲ୍ ଦର ଲିଟର୍ପିଛା ୮୦ ପଇସା ଏବଂ ଡିଜେଲ୍ ୭୦ ପଇସା ବୃଦ୍ଧି ପାଇଥିଲା। ଭାରତରେ ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟ ଇନ୍ଧନର ଚାହିଦା, ଡଲାର୍ ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଏବଂ ତୈଳଶୋଧନାଗାରର ବ୍ୟବହାର ଉପରେ ନିର୍ଭର କରେ। ଏହାଛଡ଼ା, ‘ଭାଟ୍’ ଏବଂ ପରିବହନ ମୂଲ୍ୟ ଆଧାରରେ ରାଜ୍ୟ ରାଜ୍ୟ ମଧ୍ୟରେ ଇନ୍ଧନ ମୂଲ୍ୟରେ ତଫାତ୍ ଦେଖା ଦେଇଥାଏ।
