ଜାତୀୟ ପୁରସ୍କାର ପାଇବେ ୭୫ ଶିକ୍ଷକ: ଓଡ଼ିଶାର ୨ ଶିକ୍ଷକ ଓ ୨ ପ୍ରଶିକ୍ଷକଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର
ନୂଆଦିଲ୍ଲୀ: ୨୦୨୩ ପାଇଁ ଜାତୀୟ ଶିକ୍ଷକ ପୁରସ୍କାର ତାଲିକା ଘୋଷଣା କରାଯାଇଛି। ସେପ୍ଟେମ୍ବର ୫ତାରିଖରେ ନୂଆଦିଲ୍ଲୀରେ ଥିବା ବିଜ୍ଞାନ ଭବନରେ ସମୁଦାୟ ୭୫ ଜଣ ମନୋନୀତ ହୋଇଥିବା ଶିକ୍ଷକଙ୍କୁ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୭୫ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ୪ ଜଣ ଶିକ୍ଷକ ଓ ପ୍ରଶିକ୍ଷକ ତାଲିକାରେ ରହିଛନ୍ତି । ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ ଏହି ପୁରସ୍କାର ଉତ୍ସବ ପାଳନ କରାଯାଇଥାଏ । ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀକୁ ଜାତୀୟ ଶିକ୍ଷକ ଦିବସ ଭାବେ ସମଗ୍ର ଦେଶରେ ପାଳନ କରାଯାଏ ।
ଆମ ରାଜ୍ୟରୁ ଯୋଗ୍ୟ ବିବେଚିତ ହୋଇଥିବା ଶିକ୍ଷକଙ୍କ ମଧ୍ୟରେ ରହିଛନ୍ତି ଭଦ୍ରକ ଜିଲ୍ଲାରେ ଥିବା କେନ୍ଦୁଆପଡ଼ା ନୋଡାଲ ହାଇସ୍କୁଲର ଶିକ୍ଷକ ଶଶି ଶେଖର କର ଶର୍ମା । ଏଥିସହ ଜଗତସିଂହପୁର ଜିଲ୍ଲାର ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତଙ୍କୁ ମଧ୍ୟ ପୁରସ୍କାର ମିଳିବ । ସୁଭାଷ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି । ସେହିପରି ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ପୁରସ୍କାର ବିଜେତାଙ୍କ ନାମ ପ୍ରକାଶ ପାଇଛି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟସ୍ଥ ଖୁଦପୁରରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ଆଇଟିଆଇ ଅନୁଷ୍ଠାନର ପ୍ରଶିକ୍ଷଣ ଅଧିକାରୀ ରବିନାରାୟଣ ସାହୁ ଏବଂ ରାଜଧାନୀ ଭୁବନେଶ୍ୱରର ରାଜ୍ୟପାଳଙ୍କ ଭବନ ପାଖରେ ରହିଥିବା ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ସହକାରୀ ପ୍ରଶିକ୍ଷଣ ଅଧିକାରୀ ସୁନୀତା ସିଂହଙ୍କୁ ମଧ୍ୟ ରାଷ୍ଟ୍ରପତି ସମ୍ମାନ ମିଳିବ ।
ଚଳିତ ବର୍ଷ (୨୦୨୩)ଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଉତ୍ସବକୁ ଅଧିକ ବଡ଼ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ସହିତ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟକୁ ମଧ୍ୟ ସାମିଲ କରାଯାଇଛି । ଚଳିତ ବର୍ଷ ରାଷ୍ଟ୍ରପତି ପୁରସ୍କାର ତାଲିକାରେ ୫୦ ଜଣ ସ୍କୁଲ ଶିକ୍ଷକ, ଉଚ୍ଚଶିକ୍ଷା ବିଭାଗରେ ଶିକ୍ଷକତା କରୁଥିବା ୧୩ ଜଣ ଶିକ୍ଷକଙ୍କ ସହ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ୧୨ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କୃତ କରିବେ ।
