ବାଘ ଶିକାର ଘଟଣାର ପର୍ଦ୍ଦାଫାସ୍, ୬ ଗିରଫ
ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ବାଘପାଲି ଗ୍ରାମ ନିକଟ ଜଙ୍ଗଲରେ କଲରାପତରିଆ ବାଘ ଶିକାର ଘଟଣାର ପର୍ଦ୍ଦାଫାସ୍ ହୋଇଛି । ବାଘ ଶିକାର ପାଇଁ ବାଘପାଲି ମଠରେ ଯୋଜନା ହୋଇଥିବା ଜଣାପଡ଼ିବା ପରେ ବନ ବିଭାଗ ମୁଖ୍ୟ ଅଭିଯୁକ୍ତ ମଠାଧିଶଙ୍କ ସମେତ ୬ ଜଣ ଶିକାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ବାଘପାଲି ଜଙ୍ଗଲ ଭିତରେ ଥିବା ମଠର ମଠାଧିଶ ଦାନବିହାରୀ ଶରଣଂ ଓରଫ ଦୟାସାଗର ଥାଟୀ, କୋଟସମଲାଇ ଗ୍ରାମର ସୁରେନ୍ଦ୍ର ପଧାନ, ବିଜୁ ଗୁରୁ, ନାକଡେଇଁ ଗ୍ରାମର ରାମଚନ୍ଦ୍ର ପୁରୋହିତ, ବାଘପାଲି ଗ୍ରାମର ପୁରନ୍ଦର ଥାଟି ଏବଂ ସୁବର୍ଣ୍ଣପୁର ପଟାଭାଡିର ସତ୍ୟ ନାରାୟଣ ମେହେର । ମଠ ପରିସର ମଧ୍ୟରୁ ବାଘର ୪ଟି ପଞ୍ଝା ସମେତ କିଛି ନଖ ଓ ଦାନ୍ତ ଜବତ କରାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ବାଘ ନଖ ଓ ଦାନ୍ତ ଉଦ୍ଧାର ହୋଇନାହିଁ । ଅନ୍ୟ କିଛି ଜଣ ଅଭିଯୁକ୍ତ ଏବେ ବି ଫେରାର ଥିବା ଜମାପଡ଼ିଛି । ସୂଚନାଯୋଗ୍ୟ ଯେ, ଅଭିଯୁକ୍ତମାନେ ବିଦ୍ୟୁତ ଫାଶ ପକାଇ ଜନ୍ତୁ ଶିକାର କରୁଥିଲେ । ତେବେ ବିଦ୍ୟୁତ ସଂଷ୍ପର୍ଶରେ ଆସି ଏକ ୪ ବର୍ଷର ମାଈ କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା ।
ଫଳରେ ଦୁର୍ବୃତମାନେ ବାଘର ୪ଟି ପଞ୍ଝା, ନଖ, ଦାନ୍ତ କାଢି ନେଇଥିଲେ । ଅନ୍ୟପଟେ ବନ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁଁ ପ୍ରାୟ ୫ ଦିନ ପର୍ଯ୍ୟନ୍ତ ବାଘ ମୃତ୍ୟୁ ଖବର ଜଣାପଡି ନଥିଲା । ଗତ ମଙ୍ଗଳବାର ଦିନ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଜଙ୍ଗଲକୁ ଛେଳି ଚରାଇ ଯାଇଥିବାବେଳେ ବାଘଟିର ଗଳିତ ମୃତଦେହ ଦେଖିବାକୁ ପାଇଥିଲେ । ଏନେଇ ବନ ବିଭାଗ ଖବର ପାଇବା ପରେ ଘଟଣାସ୍ଥଳରେ ଏକ ମାମଲା ରୁଜୁ କରିବା ସହ ଅନୁସନ୍ଧାନ ଆରମ୍ଭ କରିଥିଲା ।
