ନିର୍ଣ୍ଣାୟକ ମୁକାବିଲା : ଟସ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବା ଭାରତ
ବେଙ୍ଗାଲୁରୁ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ସିରିଜର ନିର୍ଣ୍ଣାୟକ ତଥା ପଞ୍ଚମ ଟି-୨୦ । ଇତି ମଧ୍ୟରେ ଖେଳ ଯାଇଥିବା ୪ଟି ମ୍ୟାଚ ମଧ୍ୟରୁ ଉଭୟ ଦଳ ୨ଟି ଲେଖାଏଁ ଜିତିସାରିଛନ୍ତି । ଫଳରେ ଆଜିର ମ୍ୟାଚ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ତେବେ ସିରିଜରେ ପନ୍ତ ଟସ୍ ହାରିବାର ଏକ ଅଲୋଡା ରେକର୍ଡ କରିଛି। କ୍ରମାଗତ ପାଞ୍ଚଟି ଟି-୨୦ ମ୍ୟାଚରେ ଟସ୍ ହାରିଛନ୍ତି ପନ୍ତ। ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ତେମ୍ବା ବାଭୁମା ଆହତ କାରଣରୁ ଆଜିର ମ୍ୟାଚ୍ ଖେଳୁ ନାହାନ୍ତି। କେଶବ ମହାରାଜ ଅଧିନାୟକ ଦାୟିତ୍ଵ ସମ୍ଭାଳିଛନ୍ତି। ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ଘଟିନାହିଁ। ବାଭୁମାଙ୍କ ସ୍ଥାନରେ ରିଜା ହେଣ୍ଡରିକ୍ସଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି।
ଘରୋଇ ଗ୍ରାଉଣ୍ଡରେ ଭାରତ ପୂର୍ବରୁ କେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଜିତିନାହିଁ । ୨୦୧୫ରେ ଦକ୍ଷିଣ ଆଫ୍ରିକା ଏଠାରେ ୩ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଥିଲା । ୨୦୧୯ରେ ଅନୁଷ୍ଠିତ ସିରିଜ ୧-୧ରେ ଡ୍ର’ ରହିଥିଲା । ଉଭୟ ସିରିଜରେ ଗୋଟିଏ ଲେଖାଏଁ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଥିଲ । ଏଥର ଭାରତ ନିକଟରେ ସିରିଜ ବିଜୟ ସୁଯୋଗ ରହିଛି । କ୍ରମାନ୍ୱୟରେ ୨ଟି ମ୍ୟାଚ୍ ଜିତିବା ପରେ ଭାରତୀୟ ଦଳର ମନୋବଳ ଦ୍ୱିଗୁଣା ରହିଛି । ୨୦୧୯ ପରାଜୟର ପ୍ରତିଶୋଧ ନେବା ପାଇଁ ଦଳ ନିକଟରେ ଯଥେଷ୍ଟ କ୍ଷମତା ରହିଛି । ଗତ ସିରିଜରେ ମଧ୍ୟ ବେଙ୍ଗାଲୁରୁରେ ଅନ୍ତିମ ଟି-ଟ୍ୱେଣ୍ଟିମ୍ୟାଚ୍ ଖେଳାଯାଇଥିଲା । ୧୩୫ ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୬.୫ ଓଭରରେ ୧ ୱିକେଟ୍ ହରାଇ ହାସଲ କରିଥିଲା । ଘରୋଇ ଦଳ ମଧ୍ୟଭାଗ ଏପର୍ଯ୍ୟନ୍ତ ଲୟ ଫେରି ପାଇ ନାହାନ୍ତି । କିନ୍ତୁ ନିମ୍ନ ମଧ୍ୟଭାଗ ସବୁ ଆବଶ୍ୟକତାକୁ ପୂରଣ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଓ ଦିନେଶ କାର୍ତ୍ତିକଙ୍କ ପ୍ରଦର୍ଶନ ବଳରେ ଭାରତ ଆଉ ଏକ ବିଜୟ ପାଇଁ ଯୋଜନା କରିବ। ତଥାପି ଏହା ପୂର୍ବରୁ ରିଷଭ ପନ୍ତ ଓ ଶ୍ରେୟାସ ଆୟର ଫର୍ମ ଫେରି ପାଇବା ଦଳ ପାଇଁ ଶୁଭଙ୍କର ହେବ ।
ରାଜକୋଟ୍ରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ବେଶ୍ ଆକର୍ଷଣୀୟ ରହିଥିଲା । ବିଶେଷ କରି ପେସ୍ ବୋଲରମାନେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କୁ ଅଟକାଇବାରେ ସଫଳ ହୋଇଥିଲେ । ଅଭେଶ ଖାନ, ହର୍ଷଲ ପଟେଲ ଓ ଭୁବନେଶ୍ୱର କୁମାରଙ୍କୁ ନେଇ ଗଠିତ ପେସ ବାହିନୀରେ ପରିବର୍ତ୍ତନ ସମ୍ଭାବନା ନାହିଁ । ଫଳରେ ନବାଗତ ଅର୍ଶଦୀପ ଓ ଉମ୍ରାନ ମଲିକଙ୍କୁ ଆଉ ଏକ ସିରିଜ ପାଇଁ ଅପେକ୍ଷା କରିବାକୁ ପଡ଼ିବ । ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବଭୁମା ଆହତ ହୋଇଛନ୍ତି । ସେ ଆଜିର ମ୍ୟାଚ୍ ଖେଳୁ ନାହାନ୍ତି । ବାକି ଖେଳାଳି ଫିଟ୍ ଅଛନ୍ତି । ମୋଟ୍ ଉପରେ ଦେଖିବାକୁ ଗଲେ ଉଭୟ ଦଳର ବୋଲରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ବେଙ୍ଗାଲୁରୁ ପିଚ୍ ସର୍ବଦା ବ୍ୟାଟ୍ସମ୍ୟାନଙ୍କୁ ସହାୟତା କରି ଆସିଛି । କେବଳ ବର୍ଷା ମ୍ୟାଚ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ୭୦ ପ୍ରତିଶତ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।
ଭାରତ: ଇଶାନ କିଷନ, ଋତୁରାଜ ଗାଏକୱାଡ୍, ଶ୍ରେୟାସ ଆୟର, ରିଷଭ ପନ୍ତ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଅଭେଶ ଖାନ, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ ।
ଦକ୍ଷିଣ ଆଫ୍ରିକା: କ୍ଵିଣ୍ଟନ ଡିକକ୍, ରିଜା ହେଣ୍ଡରିକ୍ସ, ରାଶି ଭାନ ଡର ଡୁସେନ, ଡେଭିଡ୍ ମିଲର, ହେନରିକ କ୍ଲାସେନ, ଟ୍ରିଷ୍ଟନ ଟବ୍ସ, ଡ୍ଵେନ ପ୍ରିଟୋରିୟସ, କେଶବ ମହାରାଜ, ଲୁଙ୍ଗି ଏନଗିଡି, ଅନରିଚ ନର୍ତ୍ତୋଜେ, କାଗିସୋ ରାବଡା।
