ସରିଲା ୫ଜି ସ୍ପେକ୍ଟମ ନିଲାମୀ, ଅଧିକ ଟଙ୍କାର ବିଡ୍ ସହ ଆଗରେ ଜିଓ
ନୂଆଦିଲ୍ଲୀ: ସୋମବାର ସରିଲା ୫ଜି ସ୍ପେକ୍ଟମ ନିଲାମୀ । ୭ଦିନ ଧରି ଚାଲୁଥିବା ଏହି ନିଲାମୀରେ ୧.୫ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ୫ଜି ବ୍ୟାଣ୍ଡର ରେକର୍ଡ ବିକ୍ରି ହୋଇଛି । ଏହି ନିଲାମୀରେ ରିଲାଏନ୍ସ ଜିଓ ସବୁଠୁ ଅଧିକ ଟଙ୍କାର ବିଡ୍ ଲଗାଇ ଅନ୍ୟ ଟେଲିକମ କମ୍ପାନୀମାନଙ୍କ ଠାରୁ ଆଗରେ ରହିଛି ।
ସୂଚନା ଯେ, ସମୁଦାୟ ୧,୫୦,୧୭୩ କୋଟି ଟଙ୍କାର ବିଡ୍ ହୋଇଥିଲା । ହାଇ ସ୍ପିଡ୍ ଇଣ୍ଟରନେଟ୍ ପାଇଁ ହେଉଥିବା ଏହି ୫ଜି ସ୍ପେକ୍ଟ୍ରମ ର ନିଲାମୀ ଗତ ବର୍ଷ ବିକ୍ରି ହୋଇଥିବା ୭୭,୮୧୫ କୋଟି ଟଙ୍କାର ୪ ଜି ସ୍ପେକ୍ଟ୍ରମ ଠାରୁ ପ୍ରାୟ ଦୁଇ ଗୁଣା ଅଧିକ । ଏହି ଅର୍ଥ ୨୦୧୦ ରେ ୩ଜି ନିଲାମୀରୁ ମିଳିଥିବା ୫୦,୯୬୮ କୋଟିର ତିନିଗୁଣା । ରିଲାଏନ୍ସ ଜିଓ ୫ଜି ପାଇଁ ସବୁଠୁ ଅଧିକ ବିଡ୍ ଲଗାଇଛି । ଜିଓ ପରେ ଭାରତୀ ଏୟାରଟେଲ ଲିମିଟେଡ ଏବଂ ଭିଆଇ ରହିଛନ୍ତି । କୁହାଯାଉଛି ଅଦାନୀ ଗ୍ରୁପ୍ ନିଜର ବ୍ୟବସାୟ ପରିଚାଳନା ପାଇଁ ୫ ଜି ବ୍ୟାଣ୍ଡ୍ ର ୨୬ ମେଗାହର୍ଟଜ ସ୍ପେକ୍ଟ୍ରମ କିଣୁଛି । ତେବେ ବର୍ତ୍ତମାନ ସୁଦ୍ଧା କେଉଁ କମ୍ପାନୀ କେତେ ସ୍ପେକ୍ଟ୍ରମ କିଣିଛି ତାହା ଜଣାପଡ଼ିନାହିଁ, ଏହା ନିଲାମୀ ପ୍ରକ୍ରିୟା ସଂପୂର୍ଣ୍ଣ ଭାବରେ ଶେଷ ହେବା ପରେ ଜଣାପଡ଼ିବ ।
ସରକାର ୧୦ ଟି ବ୍ୟାଣ୍ଡ୍ ର ସ୍ପେକ୍ଟ୍ରମ ଆଣିଥିଲେ । କିନ୍ତୁ ୬୦୦ ମେଗାହର୍ଟଜ, ୮୦୦ ମେଗାହର୍ଟଜ ଏବଂ ୨୩୦୦ ମେଗାହର୍ଟଜ୍ ପାଇଁ କୌଣସି ବିଡ୍ ଲଗାଯାଇନାହିଁ । ଯେତେବେଳେକି ଦୁଇ-ତୃତୀୟାଂଶ ବିଡ୍ ୩୩୦୦ ମେଗାହର୍ଟଜ ଏବଂ ୨୬ ମେଗାହର୍ଟଜ ପାଇଁ ଲାଗିଥିଲା । ସେହିପରି ୨୦୧୬ ଏବଂ ୨୦୨୧ ରେ ବ୍ରିକ୍ରି ହୋଇପାରିନଥିବା ୭୦୦ ମେଗାହର୍ଟଜ ବ୍ୟାଣ୍ଡ୍ ପାଇଁ ଏକ-ଚତୁର୍ଥାଂଶ ବିଡ୍ ହୋଇଥିଲା । ସୂଚନାଯୋଗ୍ୟ, ଗତବର୍ଷ ନିଲାମୀରେ ରିଲାଏନ୍ସ ଜିଓ ୫୭,୧୨୨.୬୫ କୋଟି ଟଙ୍କାର ସ୍ପେକ୍ଟ୍ରମ ମିଳିଥିଲା । ଭାରତୀ ଏୟାରଟେଲକୁ ୧୮,୬୯୯ କୋଟି ଏବଂ ଭୋଡାଫୋନ ଆଇଡିଆ ୧୯୯୩ ଟଙ୍କାର ସ୍ପେକ୍ଟ୍ରମ କିଣିଥିଲେ ।
