ବରମୁଣ୍ଡା ଆନ୍ତରାଜ୍ୟ ବସ୍ ଟର୍ମିନାଲ ନିର୍ମାଣ ଅଗ୍ରଗତି ସମୀକ୍ଷା କାଲେ ୫ଟି ସଚିବ
ମାର୍ଚ୍ଚ ୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର : ଭୁବନେଶ୍ୱରସ୍ଥ ବରମୁଣ୍ଡା ଆନ୍ତରାଜ୍ୟ ବସ୍ ଟର୍ମିନାଲର ଅଗ୍ରଗତି ନେଇ ସମୀକ୍ଷା କଲେ ୫ଟି ସଚିବ ଭିକେ ପାଣ୍ଡିଆନ୍। ପ୍ରତିଦିନ ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଶହ ଶହ ବସ୍ ଚଳାଚଳ କରିଥାଏ। ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି ୫ଟି ଉପକ୍ରମରେ ଏହି ବସ୍ ଟର୍ମିନାଲର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ ଚାଲିଛି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ଆଜି ଅପରାହ୍ନରେ ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂହଙ୍କ ସହ ବରମୁଣ୍ଡା ଯାଇ ଆଇଏସ୍ବିଟି ଓ ବସ୍ ଡିପୋ କାମର ଅଗ୍ରଗତି ସମୀକ୍ଷା କରିଥିଲେ। ଆସନ୍ତା ମାର୍ଚ୍ଚ ୨୦୨୩ ସୁଦ୍ଧା ଆଇଏସ୍ବିଟି କାମ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ବସ୍ ଡିପୋ କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଇଏସ୍ବିଟି କାମର ଅଗ୍ରଗତି ସନ୍ତୋଷ ଜନକ ରହିଛି।
ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୧୮୦ କୋଟି ଟଙ୍କା ବ୍ୟୟରେ ୧୧.୪୮ ଏକର ଜମି ଉପରେ ନିର୍ମିତ ଆଇଏସ୍ବିଟି ବରମୁଣ୍ଡାରେ ପାର୍କିଂ, ଏଟିଏମ୍, ଫୁଡ୍ କୋର୍ଟ, ରେଷ୍ଟୁରାଣ୍ଟ, ବାଣିଜ୍ୟ ସ୍ଥଳି ଗୁଡ଼ିକରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଉଛି। ସେଠାରୁ ଶହେରୁ ଅଧିକ ବସ୍ ଚଳାଚଳର ବ୍ୟବସ୍ଥା କରାଯାଇଛି।
