ଉତରପ୍ରଦେଶ ଡ୍ରାଇଭରଙ୍କୁ କୋରାପୁଟରେ ଅପହରଣ ଘଟଣାରେ ୫ ଅଭିଯୁକ୍ତ ଗିରଫ
ଜୟପୁର : ଉତରପ୍ରଦେଶର ଅମରୋହା ଅଞ୍ଚଳର ଡ୍ରାଇଭର ଅବଦୁଲ୍ ମାନ୍ଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାସ ହୋଇଛି । ଅପହୃତ ଡ୍ରାଇଭରଙ୍କୁ ପୁଲିସ ଉଦ୍ଧାର କରିବା ସହିତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୩ ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ଅଭିଯୁକ୍ତମାନେ ହେଲେ ମନୋଜ ଖୋସଲା, ପିଣ୍ଟୁ ଖୋରା, ଅନିଲ ତାକରି, ହୀନା ପ୍ରବୀଣ ଓ ଜନ୍ ମହମ୍ମଦ । ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ୬ ମୋବାଇଲ ଓ ୨୩ ହଜାର ଟଙ୍କା ଜବତ କରିଛି ।ସୂଚନାଯୋଗ୍ୟ ଉତରପ୍ରଦେଶର ଅମରୋହା ଜିଲ୍ଲା ଦେଦୋଲି ଥାନା ଅନ୍ତର୍ଗତ ଉମେଡା ଗ୍ରାମର ଡ୍ରାଇଭର ଅବଦୁଲ ମାନ୍ଙ୍କୁ ଗତ ୧୭ ତାରିଖ ସନ୍ଧ୍ୟାରେ କୋରାପୁଟ୍ରୁ ଅପହୃତ ହୋଇଥିଲେ । ଅପହର୍ତାମାନେ ଡ୍ରାଇଭରଙ୍କୁ ଅପହରଣ କରିବାର କିଛି ଘଣ୍ଟା ପରେ ଛାଡ଼ିବା ପାଇଁ ୨୫ ଲକ୍ଷ ଦାବି କରି ମାଡ଼ ମାରିଥିଲେ । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ କୋରାପୁଟ ଏସଡିପିଓଙ୍କ ନେତୃତ୍ୱରେ ପୁଲିସ ନିର୍ମାଣାଧୀନ ପର୍ଯ୍ୟଟନ କାର୍ଯ୍ୟାଳୟର କୋଠାରୁ ଡ୍ରାଇଭର ଅବଦୁଲଙ୍କୁ ଗତ ୧୯ ତାରିଖରେ ଉଦ୍ଧାର କରିଥିଲା । ଅଭିଯୁକ୍ତ ଖୋସଲା ପୂର୍ବରୁ ଜେଲ୍ ଯାଇଥିଲା I
