କାର ସହ ୪୪ କେଜି ଗଞ୍ଜେଇ ଜବତ, ୩ ଗିରଫ
କଟକ : ଆଜି ରାଜ୍ୟ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାଡର କର୍ମଚାରୀମାନେ ବାରଙ୍ଗ ଅନ୍ତର୍ଗତ ଗୋଡିସାହିରେ ଜଗିରହି ଫୁଲବାଣୀରୁ ଏକ ଟାଟା ଇଣ୍ଡିକା କାର ଯୋଗେ କୋଲକତାକୁ ଚାଲାଣ କରାଯାଉଥିବା ୨ଟି ବସ୍ତାରେ ଥିବା ୪୪ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣ ବଙ୍ଗୀୟ ଯୁବକଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ ଖାଲେକୁରର ଅକୁନ ଦେ(୨୭), ହାଫିଜଉଦ୍ଦିନ(୨୭) ଓ ସମୀରୁଲ ଗୋଲଡର(୩୫) । ବିଭାଗୀୟ କର୍ମଚାରୀମାନେ ସେମାନେ ବ୍ୟବହାର କରୁଥିବା ଓଡି-୦୬-୬୧୧୫ ଇଣ୍ଡିକା କାରକୁ ମଧ୍ୟ ଜବତ କରିଛନ୍ତି । ଆଜି ସକାଳେ ଏକ କାର ଯୋଗେ ଫୁଲବାଣୀରୁ କୋଲକତା ଗଞ୍ଜେଇ ଚାଲାଣ କରାଯାଉଥିବାର ଗୁପ୍ତ ସୂଚନାକୁ ଭିତ୍ତି କରି ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ଇନ୍ସପେକ୍ଟର ଦିଲ୍ଲିପ କୁମାର ବେହେରା, ଏସଆଇ ସଚିନ ବେହେରା, ଏଏସଆଇ ନଟବର ମଲ୍ଲିକ, ସାକିରଉଲ୍ଲା, ରାଜକିଶୋର ନାୟକ, ମୋତିଲାଲ ମହନ୍ତ ଓ କନେଷ୍ଟବଳ ରୋଜାଲିନ ପଟ୍ଟନାୟକ, କର୍ଣ୍ଣ ଓରାମ, ଦେବାଶିଷ ବେହେରା, ଦିଲ୍ଲିପ ନନ୍ଦ ପ୍ରମୁଖ ଗୋଡିସାହି ଛକରେ ଜଗି ରହି କାରଟିକୁ ଅଟକାଇଥିଲେ । ତଲାସୀ ପରେ ସେଥିରୁ ୨ଟି ବସ୍ତାରେ ଏହି ପରିମାଣର ଗଞ୍ଜେଇ ମିଳିଥିଲା । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
