ଅଭାବନୀୟ ଘଟଣା! ପାଣି ଭର୍ତି ଗାତରେ ପଡ଼ି ୪ ଶିଶୁ ମୃତ
କୋରାପୁଟ: କୋରାପୁଟ ସଦର ଥାନା ଅଂଚଳରେ ଅଭାବନୀୟ ଘଟଣା ଘଟିଛି ।ପାଣି ଭର୍ତି ଗାତରେ ପଡ଼ି ୪ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତ ଶିଶୁଙ୍କ ମଧ୍ୟରେ ୩ଜଣ କନ୍ୟା ସନ୍ତାନ ଥିବାବେଳେ ଜଣେ ପୁତ୍ର ସନ୍ତାନ ଥିବା ଜଣାଯାଇଛି । ସମସ୍ତଙ୍କ ବୟସ ୫ରୁ ୭ବର୍ଷ ମଧ୍ୟରେ ହେବ । ଗ୍ରାମବାସୀ ଚାରିଜଣ ଶିଶୁଙ୍କ ଶବ ଉଦ୍ଧାର କରିଥିବାବେଳେ କାନ୍ଦ ବୋବାଳିରେ ଗାଁ ଫାଟିପଡ଼ୁଛି । ଘଟଣାସ୍ଥଳରେ ଚାପା ଉତେଜନା ଲାଗି ରହିଛି । କୋରାପୁଟ ସଦର ଥାନା ଦଶମନ୍ତପୁର ବ୍ଲକର ପାଇକଫୁଲବେଡ଼ା ପଂଚାୟତରେ ଏହି ଅଘଟଣ ଘଟିଛି । ରାସ୍ତା ପାଇଁ ମାଟି ଖୋଳିଥିବା ଗାତରେ ପଡ଼ି ଚାରିଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ଠିକାଦାରଙ୍କ ଦାୟିତ୍ୱହୀନତାରୁ ଏଭଳି ଘଟିଥିବା ଅଭିଯୋଗ ହେଉଛି ।
ଓଡପୁର-ମାଝିଗୁଡା ଗ୍ରାମ ମଧ୍ୟରେ ଭାରତମାଳା ପ୍ରକଳ୍ପରେ ରାସ୍ତା ନିର୍ମାଣ ପାଇଁ ଠିକାଦାର ଜଣକ ମାଟି ଖୋଳି ଗାତ କରିଥିଲେ । ଗଭୀର ଗାତରେ ବର୍ଷା ପାଣି ଜମି ରହିଥିଲା । ବର୍ଷା ପାଣି ନିସ୍କାସନ ହେବାକୁ ରାସ୍ତା ନ ଥିଲା । ଫଳରେ ଗାତରେ ପ୍ରାୟ ୫ଫୁଟ ପାଣି ଜମି ରହିଥିଲା । ସେହି ରାସ୍ତାରେ ପିଲାମାନେ ଖେଳୁଥିଲେ । ଖେଳିବା ସମୟରେ ଅସାବଧାନତା ବଶତଃ ପାଣି ଭର୍ତି ଗାତରେ ଖସିଯାଇଥିବା ସନ୍ଦେହ କରାଯାଉଛି । ଗାଁ ଲୋକ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଏହାପରେ ଗାତରେ ଖସି ପଡ଼ିଥିବା ଶିଶୁମାନଙ୍କୁ ଗାଁ ଲୋକ ଗାତ ଭିତରୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ୨ ଜଣଙ୍କ ଜୀବନ ଚାଲିଯାଇଥିଲା । ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ମାଝୀଗୁଡା ଗ୍ରାମର ୪ଜଣ ମୃତକ ହେଲେ ପୂର୍ଣ୍ଣି ହନ୍ତାଳ(୬), ବିମଳା ଶୁକ୍ରୀ (୬ବର୍ଷ), ରଇଲା ଶୁକ୍ରୀ (୪ ବର୍ଷ), ମଧୁସୂଦନ ହନ୍ତାଳ (୬ ବର୍ଷ)ବୋଲି ଜଣାପଡିଛି । ଘଟଣାସ୍ଥଳରେ କୋରାପୁଟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ପୁଲିସ୍ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତକଙ୍କ ମୃତଦେହ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି ।
