୩ୟ ଟି-୨୦ : ନ୍ୟୁଜିଲ୍ୟାଣ୍ଡକୁ ୧୮୫ ରନର ଟାର୍ଗେଟ ଦେଲା ଭାରତ
କୋଲକାତା: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳାର ୩ୟ ତଥା ଶେଷ ମ୍ୟାଚ୍ ଖେଳାଯାଉଛି। କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳୁଥିବା ଟିମ୍ ଇଣ୍ଡିଆ ଟସ୍ ଜଣି ପ୍ରଥମେ ବ୍ୟାଟିଂ ନେଇଥିଲା। ରୋହିତଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଓ୍ଵିକେଟ୍ ହରାଇ ୧୮୪ ରନ୍ କରିଛି। ଫଳରେ ନ୍ୟୁଜିଲାଣ୍ଡକୁ ୧୮୫ ରନ୍ର ବିଜୟ ଲକ୍ଷ୍ୟ ମିଳିଛି। ଦ୍ୱିତୀୟ ଇନିଂସରେ କାକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ତେଣୁ ୧୮୪ ରନ୍କୁ ଡିଫେଣ୍ଡ କରିବା ଭାରତ ପାଇଁ ସହଜ ହେବନି। ସେହିପରି ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ସିରିଜ୍ ପୂର୍ବରୁ ବିଜୟ ସହ ଟି-୨୦ ଅଭିଯାନକୁ ଶେଷ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି। ଅଧିନାୟକ ରୋହିତ ଶର୍ମା ଓ ଇଶାନ କିଶନଙ୍କୁ ବାଦ୍ ଦେଲେ ନିରାଶ କଲେ ବାକି ବ୍ୟାଟସମ୍ୟାନ। ମଧ୍ୟକ୍ରମ ବ୍ୟାଟସମ୍ୟାନଙ୍କ ନିରାଶଜନକ ପ୍ରଦର୍ଶନ ସତ୍ତ୍ଵେ ଶେଷ ଆଡକୁ ହର୍ଷଲ ପଟେଲ୍ ଏବଂ ଦୀପକ ଚହରଙ୍କ ବିସ୍ଫୋରକ ୨୧ ରନର ଇନିଂସ କାରଣରୁ ଭାରତ ୧୮୪ ରନ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ରୋହିତ ଶର୍ମାଙ୍କ ୫୬ ରନ ବଳରେ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୮୪ ରନ କରିଛି। ଅନ୍ୟମାନଙ୍କ ମଧ୍ୟରେ ଇଶାନ କିଶନ ୨୯, ଶ୍ରେୟସ ଆୟର ୨୫ , ଭେଙ୍କଟେଶ ଆୟର ୨୦ ରନ କରିଛନ୍ତି। ଶେଷ ମ୍ୟାଚ୍ ଜିତି ସମ୍ମାନ ରଖିବା ପାଇଁ କିଓ୍ଵି ସାମ୍ନାରେ ଅଛି ୧୮୫ ରନର ବିଜୟ ଲକ୍ଷ୍ୟ। ଦଳ ପକ୍ଷରୁ ମିଚେଲ୍ ସାଣ୍ଟନର ଶାଣିତ ବ୍ୟାଟିଂ କରି ୨୭ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଟ୍ରେଣ୍ଟ ବୋଲ୍ଟ, ଆଡମ ମିଲନେ ଓ ଇଶ ସୋଢି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ମିଳିଛି।
କୋଲାକାତାର ଐତିହାସିକ ଇଡେନ ଗାର୍ଡେନରେ ରୋହିତ ଟସ୍ ଜିତି ଥିଲେ। ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ସେ ବ୍ୟାଟିଂ କରିବେ ବୋଲି କହିଥିଲେ। ଇନଫର୍ମ କେଏଲ ରାହୁଲ ବିଶ୍ରାମ ନେଇଥିବାରୁ ରୋହିତଙ୍କ ସହ ଈଶାନ କିଶନ ଇନିଂସ ଆରମ୍ଭ କରିଥିଲେ। ପ୍ରଥମ ଓଭର୍ରୁ ହିଁ ରୋହିତ ହାତ ଖୋଲା ଶଟ୍ ଖେଳିଥିଲେ। ଟ୍ରେଣ୍ଟ ବୋଲ୍ଟଙ୍କୁ ଲଗାତର ୨ଟି ଚୌକା ମାରି ସେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲା। ଈଶାନ କିଶନ ମଧ୍ୟ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ପ୍ରଥମ ୬ ଓଭର୍ରେ ଦଳ ପାଇଁ ୬୯ ରନ୍ ଆଦାୟ କରିଥିଲେ। ତେବେ ୭ମ ଓଭର୍ ବୋଲିଂ କରିବାକୁ ଆସିଥିବା କାମ ଚଳା ଅଧିନାୟକ ମିଚେଲ ସାଣ୍ଟନର ପ୍ରଥମେ ୨୯ ରନ୍ କରିଥିବା ଇଶାନ କିଶନଙ୍କୁ ଆଉଟ କରିଥିଲେ। ତା’ ପରେ ସେହି ଓଭର୍ର ଶେଷ ବଲ୍ରେ ସୂର୍ଯ୍ୟ କୁମାର ଯାଦବଙ୍କୁ ଆଉଟ କରି ଭାରତକୁ ଡବଲ ଝଟକା ଦେଇଥିଲେ। ଏହାପରେ ଋଷଭ ପନ୍ତ ମଧ୍ୟ ମାତ୍ର ୪ ରନ୍ କରି ସାଣ୍ଟରନଙ୍କ ତୃତୀୟ ଶିକାର ବନିଥିଲେ। ଗୋଟିଏ ପଟେ ୱିକେଟ ଖସୁଥିଲେ ମଧ୍ୟ ରୋହିତ ଅନ୍ୟପଟେ ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଅର୍ଦ୍ଧଶତକ ପରେ ସେ ବଡ଼ ଶଟ୍ ଖେଳିବାକୁ ଚେଷ୍ଟା କରିଥିଲେ ହେଁ ଈଶ ଶୋଢ଼ି ଏହା କରିବାକୁ ଦେଇଥିଲେ। ଆଉଟ ହେବା ପୂର୍ବରୁ ରୋହିତ ୩୧ ବଲ୍ରେ ୫୬ ରନ୍ର ଇନିଂସ୍ ଖେଳିଥିଲେ। ଏହି ଇନିଂସରେ ସେ ୫ଟି ଚୌକା ଓ ୩ଟି ଛକା ମାରିଛନ୍ତି। ରୋହିତ ପ୍ୟାଭିଲିୟନ ଫେରିବା ପରେ ଶ୍ରେୟସ ଆୟର ଓ ଭେଙ୍କଟେଶ ଆୟର ସ୍ଥିତି ସମ୍ଭାଳିଥିଲେ। ଉଭୟ ୫ମ ୱିକେଟ ପାଇଁ ଦ୍ରୁତ ୩୬ ରନ୍ ଯୋଡ଼ିଥିଲେ। ଭେଙ୍କଟେଶ ଆୟର ଭଲ ଲୟର ଥିବା ଭଳି ଲାଗୁଥିଲା। କିନ୍ତୁ ବଡ଼ ଶଟ ଖେଳିବା ଲୋଭରେ ସେ ୨୦ ରନ୍ କରି ଟ୍ରେଣ୍ଟ ବୋଲ୍ଟଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ୨୫ ରନ୍ କରି ଶ୍ରେୟସ ଆୟର ମଧ୍ୟ ପ୍ୟାଭିଲିୟନ ଫେରିଥିଲେ। ତେବେ ଶେଷ ଭାଗରେ ହର୍ଷଲ ପଟେଲ ୧୮ ଓ ଦୀପକ ଚହର ୮ ବଲରେ ଅପରାଜିତ ୨୧ ରନ୍ କରିବାରୁ ଭାରତ ୧୮୪ ରନ୍ କରିବାକୁ ସକ୍ଷମ ହୋଇଥିଲା।
