ବର୍ଷା ଯୋଗୁଁ ବାତିଲ ହେଲା ତୃତୀୟ ଦିନିକିଆ, ନ୍ୟୁଜିଲାଣ୍ଡ ୧-୦ରେ ସିରିଜ୍ ବିଜୟୀ
ଖ୍ରୀଷ୍ଟଚର୍ଚ୍ଚ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବୁଧବାର ଖେଳ ଯାଉଥିବା ତୃତୀୟ ଦିନିକିଆ ମଧ୍ୟ ବର୍ଷା ଯୋଗୁଁ ବାତିଲ ହୋଇଛି । ଫଳରେ ନ୍ୟୁଜିଲାଣ୍ଡ ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୦ରେ ଜିତି ନେଇଛି । ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡ ୭ ଓ୍ବିକେଟରେ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ଦିନିକିଆ ବର୍ଷାରେ ଧୋଇ ହୋଇଯାଇଥିଲା ।
ବୁଧବାର ନିର୍ଦ୍ଧାରିତ ସମୟରେ ତୃତୀୟ ଦିନିକିଆ ଆରମ୍ଭ ହୋଇଥିଲା । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଟିମ ଇଣ୍ଡିଆକୁ ଆରମ୍ଭରୁ ଆଡମ ମିଲନେ ଓ ଟିମ ସାଉଦି ଅଡ଼ୁଆରେ ପକାଇଥିଲେ। ମଧ୍ୟଭାଗରେ ପାର୍ଟଟାମ ବୋଲର ଡାରଲେ ମିଚେଲ ମଧ୍ୟ ଜବରଦସ୍ତ ବୋଲିଂ କରିଛନ୍ତି। ଭାରତ ଦଳୀୟ ସ୍କୋର ୩୯ ହୋଇଥିବା ବେଳେ ଓପନର ଶୁବମନ ଗିଲ୍(୧୩)ଙ୍କୁ ହରାଇଥିଲା। ଏହାପରେ ଅଧିନାୟକ ଶିଖର ଧୱନ ୨୮ ରନ କରି ଆଉଟ ହୋଇଥିଲେ ଉଭୟଙ୍କ ୱିକେଟ ମିଲନେ ନେଇଥିଲେ। ଋଷଭ ପନ୍ତ ଓ ଶ୍ରେୟସ ଆୟରଙ୍କ ଉପରେ ସବୁ ଦାୟିତ୍ୱ ଥିଲେ ହେଁ ଏହି ଯୋଡ଼ି କେବଳ ୩୦ ରନ କରିବାକୁ ସକ୍ଷମ ହୋଇଥିଲେ। ଦଳୀୟ ସ୍କୋର ୮୫ ଥିବା ବେଳେ ପନ୍ତ ୧୦ ରନ କରି ମିଚେଲଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଟି-୨୦ରେ କମାଲ କରିଥିବା ସୂର୍ଯ୍ୟ କୁମାର ଯାଦବ ପୁଣିଥରେ ଦିନିକିଆ ମ୍ୟାଚ୍ରେ ସମସ୍ତଙ୍କୁ ନିରାଶ କରିଛନ୍ତି। ସେ ମାତ୍ର ୬ ରନ କରି ମିଲନେଙ୍କ ତୃତୀୟ ଶିକାର ବନିଥିଲେ। ଶ୍ରେୟସ ଆୟର ଭଲ ଲୟରେ ଥିଲେ ମଧ୍ୟ କେବଳ ୪୯ ରନ କରିବାକୁ ସକ୍ଷମ ହୋଇଛନ୍ତି। ତାଙ୍କୁ ଲକି ଫର୍ଗୁସନ ଆଉଟ କରି ଭାରତକୁ ୫ମ ଝଟକା ଦେଇଥିଲେ। ୧୨୧ ରନରେ ଭାରତ ୫ଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ଦୀପକ ହୁଡ୍ଡା ଓ ୱାଶିଂଟନ ସୁନ୍ଦର ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସାଉଦି ଏହା କରାଇ ଦେଇ ନଥିଲେ। ସେ ୨୫ ବଲରେ ୧୨ ରନ କରିଥିବା ହୁଡ୍ଡାଙ୍କୁ ଆଉଟ କରି ଭାରତର ସବୁ ଆଶରେ ପାଣି ପକାଇ ଦେଇଥିଲେ। ଦୀପକ ଚହର(୧୨) ଓ ୟୁଜି ଚହଲ(୮) ମଧ୍ୟ ବେଶୀ କିଛି କରିପାରି ନଥିଲେ। ଚହରଙ୍କୁ ମିଚେଲ ଓ ଚହଲଙ୍କୁ ସାଣ୍ଟନର ଆଉଟ କରିଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ୱାଶିଂଟନ ସୁନ୍ଦର ବେଶ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ତାଙ୍କୁ କିଛି ସମୟ ପାଇଁ ଅର୍ଶଦୀପ ସିଂହ(୯) ସାଥ ଦେଇଥିଲେ। ତେବେ ୪୮ତମ ଓଭରରେ ବଡ଼ ଶଟ୍ ଖେଳିବା ଲୋଭରେ ସୁନ୍ଦର(୫୧) ଆଉଟ ହୋଇଯାଇଥିଲେ। ତାଙ୍କୁ ସାଉଦି ଆଉଟ କରି ଭାରତୀୟ ଇନିଂସ୍କୁ ୨୧୯ରେ ଅଟକାଇ ଦେଇଥିଲେ। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ମିଲନେ ଓ ମିଚେଲ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ସାଉଦି ୨, ଫର୍ଗୁସନ ଓ ସାଣ୍ଟନର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
ଜବାବରେ ନ୍ୟୁଜିଲାଣ୍ଡ ୧୮ ଓଭରରେ ଗୋଟିଏ ୱିକେଟ୍ ହରାଇ ୧୦୪ ରନ୍ କରିଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍ ଆଉ ସମ୍ଭବ ହୋଇପାରିନଥିଲା । ଖେଳ ବନ୍ଦ ହେବା ବେଳକୁ ଡେଭନ୍ କନୱେ ୩୮ ରନ୍ ଓ ଅଧିନାୟକ କେନ୍ ୱିଲିୟମସନ ଖାତା ନ ଖୋଲି କ୍ରିଜରେ ଥିଲେ। ଫିନ୍ ଆଲେନ୍ ୫୭ ରନ୍ କରିବା ପରେ ଉମ୍ରାନ ମଲିକଙ୍କ ବଲରେ ଆଉଟ୍ ହୋଇଥିଲେ ।
