ସିଭିଲ ସର୍ଭିସ କ୍ୟାଡରରେ ଯୋଗଦେଲେ ୩୭୮ ଅଧିକାରୀ ! ଓଡ଼ିଶାର ବିକାଶ ଏକମାତ୍ର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନବନିଯୁକ୍ତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍) ଅଧିକାରୀଙ୍କ ପାଇଁ ଆୟୋଜିତ ଓରିଏଣ୍ଟେସନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାର ବିକାଶ ଏକମାତ୍ର ଲକ୍ଷ୍ୟ। ଏହି ଲକ୍ଷ୍ୟ ହାସଲ ପାଇଁ ଆମ ସରକାର ୫-ଟି (ଟିମ୍ୱାର୍କ, ଟେକ୍ନୋଲୋଜି, ଟାଇମ, ଟ୍ରାନ୍ସପରେନ୍ସି, ଟ୍ରାନ୍ସଫରମେସନ) ଆଧାରରେ ସବୁ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରୁଛନ୍ତି।
୨୦୨୦ ସିଭିଲ ସର୍ଭିସ ବ୍ୟାଚ୍ର ପ୍ରାୟ ୩୭୮ ଯୁବ ଅଧିକାରୀ ରାଜ୍ୟର ବିଭିନ୍ନ ସିଭିଲ ସର୍ଭିସ କ୍ୟାଡରରେ ଯୋଗଦେଇଛନ୍ତି। ଆଭାସି ମାଧ୍ୟମରେ ଏହି ଅଧିକାରୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମାଜର ଦୁର୍ବଳ ବର୍ଗ ତଥା ସାଧାରଣ ଲୋକଙ୍କୁ ସେବା ଯୋଗାଇବା ପାଇଁ ସରକାରୀ ଚାକିରି ଏକ ସୁଯୋଗ ଦେଇଛି। ଆପଣଙ୍କ ଉପରେ ଲୋକଙ୍କର ବହୁ ଆଶା ରହିଛି। ସେମାନଙ୍କ ଆଶା ପୂରଣ ଦିଗରେ କାର୍ଯ୍ୟ କରନ୍ତୁ। ସରକାରରେ ଆପଣଙ୍କ ଭଳି ଯୁବ, ଦକ୍ଷ, ବୈଷୟିକ କ୍ଷେତ୍ରରେ ପ୍ରସିଦ୍ଧି ଥିବା ଅଧିକାରୀଙ୍କ ଦ୍ୱାରା ଏକ ନୂତନ ଓ ସଶକ୍ତ ଓଡ଼ିଶା ସମ୍ଭବ ଏବଂ ଆପଣମାନେ ଜନସେବା କ୍ଷେତ୍ରରେ ନିଶ୍ଚିତ ସଫଳ ହେବେ ବୋଲି ଆଶା ରହିଛି। ଗଣତନ୍ତ୍ରରେ ଜନସାଧାରଣ ହେଉଛନ୍ତି ପ୍ରକୃତ ମାଲିକ ଏବଂ ଆମେ ସମସ୍ତେ ସେମାନଙ୍କ ସେବା ପାଇଁ ରହିଛେ। ତେଣୁ ଆପଣମାନେ ନିଜକୁ ଜନସାଧାରଣଙ୍କ ସେବାରେ ଉତ୍ସର୍ଗ କରବା ସହ ସେମାନଙ୍କ ଆଶା ଆକାଂକ୍ଷା ପୂରଣ କରିବେ ବୋଲି ମୋର ଆଶା ରହିଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ନିରନ୍ତର ଉଦ୍ୟମ ଯୋଗୁଁ ବିଭିନ୍ନ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ସମ୍ଭବ ହୋଇଛି। ଦୃଢ଼ ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଆମର ସଫଳତା ଯୋଗୁଁ ଓଡ଼ିଶା ଖାଦ୍ୟ କ୍ଷେତ୍ରରେ ନିଅଣ୍ଟରୁ ବଳକା ରାଜ୍ୟରେ ପରିଣତ ହୋଇଛି। ଓଡ଼ିଶା ଆନ୍ତର୍ଜାତିକ କ୍ରୀଡ଼ା ଆୟୋଜନର ପ୍ରମୁଖ କ୍ଷେତ୍ର ହୋଇଛି। ଓଡ଼ିଶା ଅର୍ଥନୀତିକୁ ନୂତନ ଦିଗ ଦେବା ସହିତ ନିବେଶକଙ୍କ ପାଇଁ ଆକର୍ଷଣର କ୍ଷେତ୍ର ହୋଇଛି। ବ୍ୟାପକ ଭିତ୍ତିଭୂମି ବିକାଶ ଦ୍ୱାରା ରାଜ୍ୟଗୁଡ଼ିକ ଭିତରେ ଓଡ଼ିଶା ଅଗ୍ରଣୀ ହୋଇପାରିଛି ବୋଲି କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପେନସନ ଓ ପଦୋନ୍ନତି ଅଦାଲତର ଅନଲାଇନ ପଞ୍ଜୀକରଣ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ସୂଚନାଯୋଗ୍ୟ ଯେ ପେନସନ ଓ ପଦୋନ୍ନତି କ୍ଷେତ୍ରରେ ଥିବା ପ୍ରତିବନ୍ଧକ ହଟାଇବା ନିମନ୍ତେ କିଛି ବର୍ଷ ହେଲା ପେନସନ ଓ ପଦୋନ୍ନତି ଅଦାଲତ ଆୟୋଜନ କରାଯାଉଛି। ୫-ଟି ଅଧୀନରେ ଏସବୁ ଅଦାଲତରେ ଅନଲାଇନ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ ରାଜ୍ୟ ସରକାର ଓଡ଼ିଶାରେ ପରିବର୍ତ୍ତନ ଆଣିବା ପାଇଁ ପ୍ରତିବଦ୍ଧ ଏବଂ ନୂତନ ଅଧିକାରୀମାନେ ସରକାରୀ ବ୍ୟବସ୍ଥାରେ ଲୋକଙ୍କ ବିଶ୍ୱାସ ମଜଭୁତ କରିବା ଦିଗରେ କାର୍ଯ୍ୟ କରିବା ଉଚିତ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ, ସରକାର ବିଭିନ୍ନ କ୍ଷେତ୍ରରେ ନିୟମିତ ଭାବେ ନିଯୁକ୍ତି ବ୍ୟବସ୍ଥା କରୁଛନ୍ତି। ଏପରିକି ୨୦୨୦ ମହାମାରୀ ବର୍ଷରେ ବି ନିଯୁକ୍ତି ବ୍ୟବସ୍ଥା ହୋଇଥିଲା। ଓସିଏସ ଏକ ସମ୍ମାନଜନକ ସେବା ହୋଇଥିବାରୁ ଏ ଦିଗରେ ସେମାନେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ଓଏଏସ କସ୍ତୁରୀ ପଣ୍ଡା, ଓଏଫଏସ ଭାନୁମତି ସେଠୀ, ଓଆରଏସ ଅନିମା ସୋରେନ ଓ ସୌମ୍ୟରଞ୍ଜନ ଭୋଇ ପ୍ରମୁଖ ୪ଜଣ ନୂତନ ଅଧିକାରୀ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିବା ସହିତ ରାଜ୍ୟ ସିଭିଲ ସର୍ଭିସରେ ଯୋଗଦେଇ ଖୁସି ଅଛନ୍ତି ବୋଲି କହିଥିଲେ। ଅନିମା କହିଥିଲେ ଯେ ସିଭିଲ ସର୍ଭିସରେ ଯୋଗଦେବା କ୍ଷେତ୍ରରେ ସେ ହେଉଛନ୍ତି ତାଙ୍କ ପଞ୍ଚାୟତର ଏକମାତ୍ର ବ୍ୟକ୍ତି।
ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରେ ନୂତନ ଅଧିକାରୀଙ୍କ ସହିତ ଭାବ ବିନିମୟ କାଳରେ ସେ ୫ଟି ଓ ମୋ ସରକାର ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା କିପରି ନେତୃତ୍ୱ ନେଇପାରିଛି ସେ ବିଷୟରେ ବର୍ଣ୍ଣନା କରିବା ସହିତ ‘ମୋ ସରକାର’ ଏକ ଫିଡ଼ବ୍ୟାକ ବ୍ୟବସ୍ଥା ଯେଉଁଥିରେ ସରକାର ଜନସାଧାରଣଙ୍କୁ ଗଣତନ୍ତ୍ରର ପ୍ରକୃତ ମାଲିକ ଭାବେ ବିଚାର କରନ୍ତି ବୋଲି କହିଥିଲେ। ଜନସାଧାରଣଙ୍କ ସେବା କରିବା କାଳରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଏସିଏସ ସୁରେନ୍ଦ୍ର କୁମାର ସ୍ୱାଗତ ଭାଷଣ ଦେଇଥିବାବେଳେ ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ ଧନ୍ୟବାଦ ଅର୍ପଣ କରିଥିଲେ।
