ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରି ଲୁଟ୍ ଉଦ୍ୟମ, ଲୋକଙ୍କୁ ଦେଖି ଚମ୍ପଟ ମାରିଲେ ୩ ଲୁଟେରା
ବାଲେଶ୍ୱର : ସ୍କୁଲରୁ ଫେରୁଥିଲେ ଶିକ୍ଷୟିତ୍ରୀ। ସ୍କୁଲ ଛୁଟି ପରେ ସ୍କୁଟି ଯୋଗେ ଘରକୁ ଫେରୁଥିବା ସମୟରେ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରି ଲୁଟ୍ ଉଦ୍ୟମ କରିଥିଲେ ୩ ଲୁଟେରା । ଲୁଟ୍ରେ ବାଧା ଦେବାରୁ ଶିକ୍ଷୟିତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ ମଧ୍ୟ କରିଥିଲେ । ମାତ୍ର ଶିକ୍ଷୟିତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଥିଲେ । ଏହା ଦେଖି ଲୁଟେରା ମାନେ ଘଟଣାସ୍ଥଲୁ ଚମ୍ପଟ ମାରିଛନ୍ତି । ଏପରି ଏକ ଅଘଟଣ ବାଲେଶ୍ୱର ଜିଲା ରେମୁଣା ବ୍ଲକ ନରହରିପୁର ବାଇପାସ୍ ନିକଟରେ ଘଟିଛି।
ରେମୁଣା ବ୍ଲକ ଅଧୀନସ୍ତ ଦିଖାପଦା ୟୁପି ସ୍କୁଲର ଶିକ୍ଷୟିତ୍ରୀ ହରପ୍ରିୟା ନାୟକ ବୁଧବାର ସ୍କୁଲ ଛୁଟି ପରେ ଅଚ୍ଚ୍ୟୁତପୁର ସ୍ଥିତ ଘରକୁ ଫେରୁଥିଲେ । ଅପରାହ୍ନ ୪ଟା ୩୦ମିନିଟ୍ ସମୟରେ ନରହରିପୁର ବାଇପାସ୍ ନିକଟରେ ଦୁଇଟି ବାଇକ୍ରେ ୩ ଜଣ ଲୁଟେରା ତାଙ୍କୁ ଅଟକାଇଥିଲେ । ହାତରେ ଥିବା ଭ୍ୟାନିଟି ବ୍ୟାଗ୍ ଓ ମୋବାଇଲକୁ ଛଡ଼ାଇବା ପାଇଁ ଉଦ୍ୟମ କରୁଥିବା ବେଳେ ଜଣେ ଦୁର୍ବୃତ୍ତ ଭୁଜାଲିରେ ତାଙ୍କ ହାତକୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଶିକ୍ଷୟିତ୍ରୀଙ୍କ ଦୁଇ ହାତରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଶିକ୍ଷୟିତ୍ରୀ ଜଣକ ରେମୁଣା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେ ଚିତ୍କାର କରିବାରୁ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଛାଡ଼ି ପଳାଇ ଯାଇଥିଲେ ।
ଏନେଇ ଶିକ୍ଷୟିତ୍ରୀ ଜଣକ କହିଛନ୍ତି, ସେ ସ୍କୁଟିରେ ଆସୁଥିବା ବେଳେ ୩ ବାଇକ୍ ଆରୋହୀ ହଠାତ୍ ତାଙ୍କ ଗାଡ଼ି ରୋକିବାକୁ ଚେଷ୍ଟା କରିଥିଲେ। ସ୍କୁଟିକୁ ବ୍ରେକ୍ ଦେବା ବେଳେ ସେ ତଳେ ପଡ଼ି ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଟଣା ଓଟରା କରିଥିଲେ। ତାଙ୍କ ଭ୍ୟାନିଟି ବ୍ୟାଗ୍ କାଢ଼ିବାକୁ ଚେଷ୍ଟା କରିଥିଲେ। ହେଲେ ସେ ହାତରେ ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ହାତକୁ ହାଣି ଦେଇଥିଲେ। ସେ ଚିତ୍କାର କରୁଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରୁ ଲୋକ ଆସିଯିବାରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ। ପରେ ବାଟୋଇଙ୍କ ସହାୟତା କ୍ରମେ ଏଠାରୁ ଅଧ କିଲୋମିଟର ଦୂର ଘରେ ପହଞ୍ଚିବା ପରେ ସେଠାରୁ ପରିବାର ଲୋକେ ଡାକ୍ତରଖାନା ଆଣିଥିଲେ। ୩ ଦୁର୍ବୃତ୍ତ ମୁଖା ପିନ୍ଧି ଆସିଥିବାରୁ ସେମାନଙ୍କ ମୁହଁ ଦେଖି ପାରି ନ ଥିବା ଆହତ ଶିକ୍ଷୟିତ୍ରୀ କହିଛନ୍ତି। ଘଟଣା ସମ୍ପର୍କରେ ସେ ପୁଲିସରେ ଏତଲା ଦେଇଛନ୍ତି।
