୩ଟି ବିଲ୍ ପାରିତ, ସୋମବାର ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର : ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ୩ ଟି ବିଲ୍ ପାରିତ ହୋଇଛି । ଏହି ବିଲ୍ ଗୁଡିକ ହେଲା ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ବିଲ୍ ୨୦୨୧ , ଓଡିଶା ବିନିୟୋଗ ଅଧିନିୟମ (ନିରସନ) ବିଲ୍ ୨୦୨୧ ଓ ଓଡିଶା ସହର ଯୋଜନା ଓ ଅଭିବୃଦ୍ଧି ନ୍ୟାସ (ସଂଶୋଧନ) ବିଲ୍ ୨୦୨୧ । ବିଲ୍ ପାରିତ ହେବା ପରେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଆସନ୍ତା ସୋମବାର ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଗୃହରେ ୩ଟି ବିଲ ପାରିତ ସମୟରେ କଂଗ୍ରେସ ଦଳର ବିଧାୟକମାନେ କକ୍ଷ ତ୍ୟାଗ କରିଥିଲେ । ଏଥି ସହିତ ସୋମବାର ସକାଳ ୧୦.୩୦ ପର୍ଯ୍ୟନ୍ତ ଗୃହ ମୁଲତବି ରହିଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେହିପରି ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଅସୁସ୍ଥ ହୋଇପଡ଼ିଥିଲେ । ବାଚସ୍ପତିଙ୍କ ପୋଡ଼ିୟମ ତଳେ ଚେୟାର ଉପରେ ଚଢି ପ୍ରତିବାଦ କରୁଥିବା ସମୟରେ ତାରାପ୍ରସାଦ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ସହଯୋଗୀ ବିଧାୟକ ମାନେ ତାଙ୍କୁ ପାଣି ପିଇବାକୁ ଦେଇ ଚେୟାରରେ ବସାଇଥିଲେ । ପରବର୍ତୀ ସମୟରେ ତାରା ପୁଣି ସୁସ୍ଥ ଅନୁଭବ କରିଥିଲେ ।
ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ବିଧେୟକ ପାରିତ ହେବା ଦ୍ୱାରା କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଇଟି) ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି । ଏହା ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟରେ ନାମିତ ହେବ । ବିଜ୍ଞାନର ବିକାଶ କରାଯିବ । ସମାଜର ଉନ୍ନତି ସାଧନ ପାଇଁ ଯାନ୍ତ୍ରିକ ବିଦ୍ୟା, ପ୍ରଯୁକ୍ତି ବିଦ୍ୟା ଏବଂ ତାର ପ୍ରୟୋଗ, ସ୍ଥପିତ ବିଦ୍ୟା, ଯୋଜନା, ମ୍ୟାନେଜମେଂଟ ଓ ପ୍ରାୟୋଗିକ ବିଜ୍ଞାନ କ୍ଷେତ୍ରରେ ଶିକ୍ଷା, ଗବେଷଣା ଓ ତାଲିମକୁ ବିକଶିତ କରାଯିବ ।
