ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ଲାଗି ୨୨ ଜଣିଆ ଭାରତୀୟ ମହିଳା ଦଳ ଘୋଷିତ : ମାରିଆନାଙ୍କୁ ସୁଯୋଗ, ନମିତା ଷ୍ଟାଣ୍ଡବାଏ
ଭୁବନେଶ୍ୱର : ଚଳିତ ମାସ ୧୨ ଓ ୧୩ ଦୁଇ ଦିନ ଧରି କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଜର୍ମାନୀ ବିପକ୍ଷ ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ମ୍ୟାଚ୍ ଲାଗି ୨୨ ଜଣିଆ ଭାରତୀୟ ମହିଳା ଦଳ ଘୋଷିତ ହୋଇଛି । ଓଡ଼ିଆ ତାରକା ଦୀପଗ୍ରେସ୍ ଏକ୍କା ଉପଅଧିନାୟିକା ଏବଂ ଗୋଲ୍ରକ୍ଷକ ସବିତା ଅଧିନାୟିକା ପଦ ବଜାୟ ରଖିଛନ୍ତି । ଦଳରେ ଓଡ଼ିଶାର ଉଦୀୟମାନ ଅଗ୍ରଭାଗ ଖେଳାଳି ମାରିଆନା କୁଜୁର ସ୍ଥାନ ପାଇଥିଲା ବେଳେ ଅଭିଜ୍ଞ ନମିତା ଟପ୍ପୋ ଷ୍ଟାଣ୍ଡବାଏ ରହିଛନ୍ତି । ହକି ମହାରାଷ୍ଟ୍ରର ପ୍ରତିଭାବାନ ରକ୍ଷଣଭାଗ ଖେଳାଳି ଅକ୍ଷତା ଆବାସୋ ଧେକାଲେ ଏବଂ ହକି ହରିୟାଣାର ଅଗ୍ରଭାଗ ଖେଳାଳି ଦୀପିକା (ଜୁନିଅର) ନୂଆ ମୁହଁ ଭାବେ ଭାରତୀୟ ଦଳକୁ ଡାକରା ପାଇଛନ୍ତି । ନିୟମିତ ଅଧିନାୟିକା ରାଣୀ ରାମପାଲ ଫିଟ୍ ନଥିବାରୁ ଦଳକୁ ଫେରି ପାରିନାହାନ୍ତି । ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ବେଶ୍ ସନ୍ତୁଳିତ ହୋଇଥିବାରୁ ବିଶ୍ୱ ମାନ୍ୟତାର ପଂଚମ ସ୍ଥାନରେ ଥିବା ଜର୍ମାନୀକୁ ଆମେ କଡ଼ା ଟକ୍କର ଦେବୁ ବୋଲି ପ୍ରଶିକ୍ଷକ ଜାନେକ ସ୍କପମ୍ୟାନ୍ ଦୃଢ଼ ଆଶା ପୋଷଣ କରିଛନ୍ତି । ସୂଚନାଯୋଗ୍ୟ ଯେ ଜର୍ମାନୀ ମହିଳା ଦଳ ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିୟମ୍ରେ ଖେଳିବ ।
ଭାରତୀୟ ଦଳ: ସିବିତା (ଅଧିନାୟିକା), ବିଚୁ ଦେବୀ ଖରିବାମ, ଦୀପ ଗ୍ରେସ୍ ଏକ୍କା (ଉପଅଧିନାୟିକା), ଗୁରଜିତ କୌର, ନିକ୍କି ପ୍ରଧାନ, ଉଦିତା, ଅକ୍ଷତା ଆବାସୋ ଧକାଲେ, ନିଶା, ସଲିମା ଟେଟେ, ସୁଶୀଳା ଚାନୁ ପୋଖରାମବାମ, ଜ୍ୟୋତି, ମୋନିକା, ନେହା, ନଭଜ୍ୟୋତ କୌର, ସୋନିକା, ରାଜବିନ୍ଦର କୌର, ଶର୍ମିଳା ଦେବୀ, ନଭନୀତ କୌର, ଲାଲରେମସିଆମି, ସଙ୍ଗୀତା କୁମାରୀ, ମାରିଆନା କୁଜୁର, ଦୀପିକା । ଷ୍ଟାଣ୍ଡବାଏ: ରଜନୀ ଇତିପାରପୁ, ଈଶିକା ଚୌଧୁରୀ, ନମିତା ଟପ୍ପୋ ।
