୨୦୧୯ ହାଇଦ୍ରାବାଦ ଏନକାଉଣ୍ଟର ଫେକ୍ ଥିଲା : ସୁପ୍ରିମକୋର୍ଟ କମିଶନ
ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ପାଇଁ ସୁପାରିସ
ନୂଆଦିଲ୍ଲୀ: ହାଇଦ୍ରାବାଦର ବହୁ ଚର୍ଚ୍ଚିତ ଦିଶା ଗଣବଳାତ୍କାର ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କ ଫେକ୍ ବା ମିଥ୍ୟା ଏନକାଉଣ୍ଟର ହୋଇଥିଲା । ଏନ୍କାଉଣ୍ଟର୍ ଘଟଣାର ତଦନ୍ତ କରିବାକୁ ସୁପ୍ରିମ୍କୋର୍ଟ ଏକ ପ୍ୟାନେଲ୍ ଗଠନ କରିଥିଲେ। ଏହି ତଦନ୍ତକାରୀ ପ୍ୟାନେଲ୍ର ଅନୁସନ୍ଧାନ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅଭିଯୁକ୍ତମାନଙ୍କୁ ଯୋଜନାବଦ୍ଧ ଭାବେ ଏନ୍କାଉଣ୍ଟର୍ କରାଯାଇଥିଲା। ଏହି ମାମଲାରେ ସିରପୁରକର କମିଶନ ସୁପ୍ରିମକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ଅଭିଯୁକ୍ତମାନଙ୍କୁ ହତ୍ୟା ଉଦ୍ଦେଶ୍ୟରେ ହିଁ ଗୁଳିଚାଳନ କରାଯାଇଥିବାର କୁହାଯାଇଛି । ଏହି ରିପୋର୍ଟକୁ ଭିତ୍ତି କରିଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ସୁପାରିସ କରାଯାଇଛି । କମିଶନଙ୍କ ରିପୋର୍ଟ ଉପରେ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ତେଲେଙ୍ଗାନା ହାଇକୋର୍ଟଙ୍କୁ କହିଛନ୍ତି।
ସୂଚନା ଯେ, ଗତ ନଭେମ୍ବର ୨୦୧୯ରେ ତେଲେଙ୍ଗାନାର ହାଇଦ୍ରାବାଦରେ ୨୭ ବର୍ଷ ବୟସ୍କା ମହିଳା ପଶୁ ଡାକ୍ତରଙ୍କୁ ଗଣବଳାତ୍କାର ହୋଇଥିଲେ। ଏହା ପରେ ତାଙ୍କୁ ହତ୍ୟା କରାଯାଇଥିଲା। ମହିଳା ଡାକ୍ତରଙ୍କ ମୃତଦେହ ଶାଦନଗରର ଏକ ବ୍ରିଜ ତଳେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଥିଲା। ଏହି ମାମଲାରେ ହାଇଦ୍ରାବାଦ ପୋଲିସ ଚାରି ଜଣଙ୍କୁ ଗିରଫ କରିଥିଲା। ତେବେ ପରଦିନ ୪ ଅଭିଯୁକ୍ତଙ୍କ ପୋଲିସ ଏନକାଉଣ୍ଟର କରିଥିଲା | ପୋଲିସ ଦାବି କରିଥିଲା ଯେ ଅଭିଯୁକ୍ତମାନଙ୍କୁ କ୍ରାଇମ୍ ସିନ୍ ରିକ୍ରିଏସନ ପାଇଁ ଘଟଣାସ୍ଥଳକୁ ନିଆଯାଉଥିବା ବେଳେ ସେମାନେ ଖସି ପଳାଇବାକୁ ଚେଷ୍ଟା କରିଥିଲେ । ଯାହା ପରେ ୪ଜଣଙ୍କର ଏନକାଉଣ୍ଟରରେ ମୃତ୍ୟୁ ହୋଇଥିଲା । ଏହି ଘଟଣା ସେତେବେଳେ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ଏପରିକି ଅଭିଯୁକ୍ତଙ୍କ ଏନକାଉଣ୍ଟରକୁ ସ୍ବାଗତ କରିବା ସହ ପୋଲିସ ଉପରେ ଫୁଲ ବର୍ଷା କରିଥିଲେ । କିନ୍ତୁ ବିଭିନ୍ନ ମାନବାଧିକାର ସଂଗଠନ ଅଭିଯୁକ୍ତଙ୍କ ଏନକାଉଣ୍ଟର ବିରୋଧରେ କୋର୍ଟକୁ ଯାଇଥିଲା। ଏହି ଘଟଣାର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଏମ୍ ସିରପୁରକରଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିଶନ ଗଠନ କରିଥିଲେ ।
