୨୦୦୮ ଅହମ୍ମଦାବାଦ ସିରିଏଲ ବିସ୍ଫୋରଣ ଘଟଣା : ୧୧ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହ ୩୮ ଜଣଙ୍କୁ ଫାଶୀ ଦଣ୍ଡ
ଅହମଦାବାଦ: ୨୦୦୮ ଅହମ୍ମଦାବାଦ ସିରିଏଲ ବିସ୍ଫୋରଣ ମାମଲାରେ ଦୋଷୀଙ୍କ ଦଣ୍ଡବିଧାନ ହୋଇଛି । ସ୍ୱତନ୍ତ୍ର ବିଚାରପତି ଆର୍ ପଟେଲଙ୍କ କୋର୍ଟ ମୋଟ ୪୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ସେହିଭଳି ୧୧ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ମିଳିଛି । ଦେଶରେ ପ୍ରଥମ ଥର ପାଇଁ ଏକକାଳୀନ ଏତେ ସଂଖ୍ୟକ ଦୋଷୀ ଫାଶୀ ଦଣ୍ଡାଦେଶ ପାଇଛନ୍ତି । ଫେବୃଆରୀ ୮ରେ ସ୍ୱତନ୍ତ୍ର କୋର୍ଟ ଏହି ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଦୀର୍ଘ ୧୩ ବର୍ଷ ଧରି ସ୍ୱତନ୍ତ୍ର କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା । ମୋଟ ୭୮ ଜଣ ଅଭିଯୁକ୍ତ ଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ସରକାରୀ ସାକ୍ଷୀ ପାଲଟି ଯାଇଥିବାବେଳେ ୨୮ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ବଳକା ୪୯ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସୂଚନାଯୋଗ୍ୟ ଯେ, ଅହମ୍ମଦାବାଦ ସିରିଏଲ ବିସ୍ଫୋରଣରରେ ୫୬ ଜଣ ପ୍ରାଣ ହରାଇଥିଲେ ।
ସୂଚନା ଯେ, ଅହମ୍ମଦାବାଦରେ ୨୬ ଜୁଲାଇ ୨୦୦୮ ରେ ସିରିଏଲ ବୋମା ବିସ୍ଫୋରଣରେ ୭୦ ମିନିଟ ମଧ୍ୟରେ ୫୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି ମାମଲା ୧୩ ବର୍ଷରୁ ଅଧିକ ସମୟ ଧରି ହୋଇ ସାରିଥିବା ପରେ ଗତ ସପ୍ତାହରେ ୪୯ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ଅନ୍ୟ ୨୮ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ସୋମବାର, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯୁକ୍ତି ଶେଷ କରି ଅଭିଯୁକ୍ତଙ୍କୁ ସର୍ବାଧିକ ଦଣ୍ଡ ମାଗିଛନ୍ତି ।
ଗତ ବର୍ଷ ସେପ୍ଟେମ୍ବରରେ ୭୭ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟ ଶୁଣାଣି ଶେଷ କରିଥିଲେ । ବିଚାର ଚାଲିଥିବା ୭୮ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସରକାରୀ ସାକ୍ଷୀ ହୋଇଥିଲେ । ପୋଲିସ୍ ଦାବି କରିଛି ଯେ ଉକ୍ତ ଅଭିଯୁକ୍ତମାନେ ଆତଙ୍କବାଦୀ ସଂଗଠନ ଭାରତୀୟ ମୁଜାହିଦ୍ଦିନ ସହ ଜଡିତ । ଅଭିଯୋଗ ହୋଇଥିଲା ଯେ ୨୦୦୨ ଗୋଦ୍ରା ଦଙ୍ଗାର ପ୍ରତିଶୋଧ ନେବାକୁ ଭାରତୀୟ ମୁଜାହିଦ୍ଦିନର ଆତଙ୍କବାଦୀମାନେ ଏହି ଷଡଯନ୍ତ୍ର କରିଥିଲେ । ଅହମ୍ମଦାବାଦରେ ସିରିଏଲ ବିସ୍ଫୋରଣ ପରେ ସୁରଟର ବିଭିନ୍ନ ଅଞ୍ଚଳରେ ପୋଲିସ ବୋମା ଜବତ କରିଥିଲା, ଏହା ପରେ ଅହମ୍ମଦାବାଦରେ ୨୦ ଟି ଏବଂ ସୁରଟରେ ୧୫ ଟି ଏଫଆଇଆର ପଞ୍ଜିକୃତ ହୋଇଥିଲା । କୋର୍ଟ ସମସ୍ତ ୩୫ ଟି ଏଫ୍ଆଇଆର୍ ମିଶ୍ରଣ କରିବା ପରେ ଏହି ମାମଲାର ଶୁଣାଣି କରିଥିଲେ ।
