ନିର୍ଦ୍ଦୋଷକୁ ୧୯ ବର୍ଷ ଜେଲ : ସଜା କାଟିବା ପରେ ମୁକୁଳିଲେ ହାବିଲ ସିନ୍ଧୁ
ବାରିପଦା : ଶିପୁର ଥାନା ବଳରାମପୁର ଗାଁର ହାବିଲ ସିନ୍ଧୁ। ହତ୍ୟା କରିଥିବା ଅଭିଯୋଗରେ ସେ ଜେଲ ଯାଇଥିଲେ, ହେଲେ ଏବେ ନିର୍ଦ୍ଦୋଷରେ ମୁକୁଳିଲେ। ତାହା ପୁଣି ଦୀର୍ଘ ୧୯ ବର୍ଷ ପରେ। ଜେଲର ଅନ୍ଧକାର କୋଠରୀ ଭିତରେ ୧୯ ବର୍ଷ ରହିବା ପରେ ଏବେ ନିର୍ଦ୍ଦୋଷରେ ଜେଲରୁ ଖଲାସ ହୋଇଛନ୍ତି। ଜେଲରୁ ଖଲାସ ହେବା ପରେ ହାବିଲ ସିନ୍ଧୁଙ୍କ ଖୁସି କହିଲେ ନସରେ କାହିଁକି ନା ସେ କେବେ ଭାବିନଥିଲେ ଜେଲର ଚାରିକାନ୍ଥରୁ ଆଉ କେବେ ବାହାରି ପାରିବେ। ପ୍ରମାଣ ନଥିବା ଅଭାବରୁ ମୟୂରଭଞ୍ଜ ଜିଲ୍ଲା ଦୌରା ଜଜ୍ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପରେ ବେଶ୍ ଖୁସି ହୋଇଛନ୍ତି ହାବିଲ।
ସୂଚନା ଯେ, ୨୦୦୩ ମସିହା ଜାନୁଆରୀ ୩ ତାରିଖରେ ପଡ଼ୋଶୀ ଘରର ଦୁଇ ଜଣ ପୁରୁଷଙ୍କ ସହ ଜଣେ ଦୁଇ ବର୍ଷର ଶିଶୁକୁ ହତ୍ୟା କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଗୁଣିଗାରେଡି ସନ୍ଦେହରେ ତିନି ଜଣଙ୍କୁ ହାବିଲ ହତ୍ୟା କରି ମୁଣ୍ଡ ଗଣ୍ଡି ଅଲଗା କରି ଫୋପାଡି ଦେବା ସହ ସେମାନଙ୍କ ଯୌନାଙ୍ଗକୁ କାଟି ଦେଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ଯଶିପୁର ଥାନାରେ ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା । ୨୦୦୫ ମସିହାରେ ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବିଚାର କରି ହାବିଲକୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ଏନେଇ ହାବିଲ ଉଚ୍ଚ ନ୍ୟାୟାଳୟର ମଧ୍ୟ ଆଶ୍ରୟ ନେଇଥିଲେ। ଉଚ୍ଚ ନ୍ୟାୟାଳୟ ଏହି ଘଟଣାର ହସ୍ତକ୍ଷେପ କରି ଘଟଣାକୁ ପୁନଃ ବିଚାର ପାଇଁ ମୟୂରଭଞ୍ଜ ଜିଲ୍ଲା ଜଜଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସରକାର ଜଣେ ଅବୈତନିକ ଓକିଲକୁ ଯୋଗାଇ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ସେହି ଦିନ ଠାରୁ ସେ ବିଚାରାଧିନ କଏଦୀ ଭାବେ ଥିଲେ। ଏହି ଘଟଣାରେ ମୟୂରଭଞ୍ଜ ଜିଲ୍ଲା ଦୌରା ଜଜ କୋର୍ଟ ଶୁଣାଣି କରି ୧୧ଜଣ ସାକ୍ଷୀ, ୩୨ଟି ତଦନ୍ତ ରିପୋର୍ଟକୁ ଆଧାର କରି ଉପଯୁକ୍ତ ସାକ୍ଷୀ ପ୍ରମାଣ ଅଭାବରୁ ହାବିଲଙ୍କୁ ନିର୍ଦ୍ଦୋଷରେ ଖଲାସ ପାଇଁ ଆଦେଶ ଦେଇଥିଲେ । ତେବେ ହାବିଲଙ୍କ ୧୯ବର୍ଷ ଜେଲରେ କାଟିବା ନେଇ ଆଇନଜୀବୀ ତଦନ୍ତକାରୀ ଅଫିସରଙ୍କ କାର୍ଯ୍ୟ ଓ ରିପୋର୍ଟ ଉପରେ ଅଙ୍ଗୁଳି ଉଠାଇଛନ୍ତି। ଅନ୍ୟପକ୍ଷରେ ତିନି ଜଣଙ୍କ ହତ୍ୟା ଅଭିଯୋଗରେ ଜେଲରେ ରହିଥିବା ହାବିଲ୍ ସବୁ ଆଶା ଛାଡ଼ି ଦେଇଥିଲେ ଯେ ସେ କେବେ ଖଲାସ ହେବେ ବୋଲି। ସେ କେବେ ଭାବିନଥିଲେ ଜେଲରୁ ମୁକୁଳିବେ ବୋଲି ।
