ଦେଶର ୧୫% ଲୋକଙ୍କ ମାସିକ ଆୟ ୫ ହଜାରରୁ କମ୍
ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ ଆର୍ଥିକ ବୈଷମ୍ୟ ବୃଦ୍ଧି ପାଇଛି , ଯାହାର ମୂଳ କାରଣ ହେଉଛି ଭାରତରେ ଆୟର ସୁଷମ ବଣ୍ଟନ ହେଉନାହିଁ । ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ ପକ୍ଷରୁ ଭାରତର ଆର୍ଥିକ ଅସମାନତା ଉପରେ ପ୍ରସ୍ତୁତ ରିପୋର୍ଟରେ ଏହା କୁହାଯାଇଛି । ଦେଶର ୧୫ ପ୍ରତିଶତ କର୍ମଜୀବୀଙ୍କ ମାସିକ ଆୟ ୫ ହଜାର ଟଙ୍କାରୁ କମ ରହିଛି । ୧ ପ୍ରତିଶତ ଲୋକଙ୍କ ଆୟ ବୃଦ୍ଧି ହେଉଥିବା ସମୟରେ ୧୦ ପ୍ରତିଶତ ଲୋକଙ୍କ ଆୟ ସଂକୁଚିତ ହେବାରେ ଲାଗିଛି । ପରିବାରଗୁଡ଼ିକର ସାମଗ୍ରିକ ସ୍ଥିତିରେ ଉନ୍ନତି ଆଣିବା କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ହାସଲ କରିଥିଲେ ମଧ୍ୟ ଆବଶ୍ୟକ ଜଳ ଯୋଗାଣ, ପରିମଳ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧାର କ୍ଷେତ୍ରରେ ଯଥେଷ୍ଟ ଉନ୍ନତିର ଆବଶ୍ୟକତା ରହିଛି ।
ଅନ୍ୟ ପକ୍ଷରେ ଜାତୀୟ ପରିବାର ଏବଂ ସ୍ୱାସ୍ଥ୍ୟ ସର୍ଭେ ୨୦୧୫-୧୬ ତଥ୍ୟ ଅନୁଯାୟୀ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପରିବାରଗୁଡ଼ିକର ସଂପତ୍ତି ମଧ୍ୟରେ ବିଶାଳ ପାର୍ଥ୍ୟକ ରହିଛି । ପାଖାପାଖି ୫୪.୯ ପ୍ରତିଶତ ପରିବାର ସଂପତ୍ତି ସୃଷ୍ଟି କରିବାରେ ସବାତଳେ ଥିବା ପରିବାରଗୁଡ଼ିକ ମଧ୍ୟରେ ଆସୁଛନ୍ତି । ୨୦୧୧ରୁ ୨୦୧୯ ମଧ୍ୟରେ ଦାରିଦ୍ର୍ୟ ୧୨.୩ ପ୍ରତିଶତ କମିଛି । କିନ୍ତୁ ୨୦୦୪ରୁ ୨୦୧୧ ମଧ୍ୟରେ ହୋଇଥିବା ଦାରିଦ୍ର୍ୟ ହାର ହ୍ରାସ ତୁଳନାରେ ଏହା କମ । ତେଣୁ ଆର୍ଥିକ ବୈଷମ୍ୟ ଦୂର କରିବାକୁ ଉଦ୍ୟମର ଆବଶ୍ୟକତା ରହିଛି ।
